ମୁଖ୍ୟ ଖବର

ଅଙ୍ଗନବାଡି ଚାଉଳ ହେରଫେର: ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ନାଁ ରେ ଥାନାରେ ମାମଲା

By Biswaranjan Pattnaik

November 04, 2022

ଅନୁଗୁଳ: ଅଙ୍ଗନବାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ହେରାଫେରି ଅଭିଯୋଗରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ।

ମିଳିଥିବା ସୂଚନା ଅନୁସାରେ ୨୦୧୬-୧୭ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା। ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ। ନିୟମ ଅନୁସାରେ ସେମାନଙ୍କୁ ଦିଆ ଯାଉଥିବା ସ୍ଲିପ ଗୁଡିକ ମଧ୍ୟରୁ ଚାଉଳ ଗ୍ରହଣକାରୀକୁ ଗୋଟିଏ ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଦିଆଯିବା କଥା। କିନ୍ତୁ ଅଡିଟ ବେଳେ ଜଣାଗଲା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଲା। ଦୁଇ ଏଜେଣ୍ଟଙ୍କ ମିଶି ୧୯୪୭.୧୧ କ୍ୱିଣ୍ଟାଲ ଚାଉଳ ହେରାଫେରି ହୋଇଥିବା ତଦନ୍ତରୁ ଜଣାପଡିଛି। ଏହି ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ। ଏହି କାରଣରୁ ଦୁଇ ଚାଉଳ ଏଜେଣ୍ଟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯାଇଛି।