ଅନୁଗୋଳ : ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ୧୦ ଦଫା ଦାବି ପୂରଣ ନେଇ ସୋମବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ଆହ୍ୱାନରେ ଜିଲ୍ଲା ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା।
ଜିଲ୍ଲା ସଭାନେତ୍ରୀ ସବିତା ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ସମ୍ପାଦିକା ମାମିନା ମନ୍ତ୍ରୀ, ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସାହୁ ଓ ସମ୍ପାଦକ ଅଜୟ କୁମାର ପାଢ଼ୀ ଯୋଗଦେଇ ଦାବିଗୁଡ଼ିକ ଉପରେ ମତ ରଖିଥିଲେ।
ଅଙ୍ଗନବାଡ଼ି କର୍ମୀଙ୍କୁ ୩୦ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ମାନଧନ, ସରକାରୀ କର୍ମଚାରୀ ମାନ୍ୟତା, ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର, ପଦୋନ୍ନତିରେ ବୟସ ସୀମା ହଟାଇବା, ବକେୟା ମାନଧନ ଓ ଅବସରକାଳୀନ ସହାୟତା ପ୍ରଦାନ ଆଦି ଦାବି ରହିଥିଲା। ଏଥିସହ ପୋଷଣ ଟ୍ରାକର୍ର ତ୍ରୁଟି ପାଇଁ କଟାଯାଇଥିବା ଅର୍ଥ ଫେରସ୍ତ ଓ ବକେୟା ୟୁନିଫର୍ମ ଏବଂ ମୋବାଇଲ୍ ଖର୍ଚ୍ଚ ପ୍ରଦାନ ଦାବି କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା।