ଅନୁଗୁଳ: ପୁଷ ମାସ ବର୍ଷା ଚାଷୀଙ୍କ ପାଇଁ ସର୍ବନାଶ ଆଣି ଦେଇଛି। ଏହି ଅଦିନିଆ ବର୍ଷା ଫଳରେ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ ହୋଇଛି। ତେବେ ଧାନ ଫସଲ କ୍ଷତି ସହ ଅନ୍ୟାନ୍ୟ ଦାବି ନେଇ ଆଜି ଅନୁଗୁଳ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଏବଂ ଚାଷୀ ସୁରକ୍ଷା କମିଟି ପକ୍ଷରୁ ରାଜସ୍ଵ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ବିଲ ମୁଣ୍ଡରେ ନିରପେକ୍ଷ ସରଜମିନ୍ ତଦନ୍ତ ନ କରି ଅତି ତରବରିଆ ଭାବରେ ଅନୁଗୁଳ ତହସିଲ ପକ୍ଷରୁ ଜିଲ୍ଲାରେ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହୋଇନଥିବା ରିପୋର୍ଟ ପ୍ରକାଶକୁ ମଧ୍ୟ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ତଦନ୍ତରେ ନିୟୋଜିତ କର୍ମଚାରୀ ଧାନ ଜମିକୁ ଯାଇ ବାସ୍ତବତା ଭିତ୍ତିରେ କ୍ଷତିର ଆକଳନ କରି ଅବିଳମ୍ବେ କ୍ଷତିପୂରଣ ପ୍ରଦାନ କରିବାକୁ ସଂଗଠନ ଦାବି କରିଛି।
ଦାବିଗୁଡ଼ିକ ମଧ୍ୟରେ ଏକ ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା, ପନିପରିବା କ୍ଷତିର ଉପଯୁକ୍ତ କ୍ଷତିପୂରଣ ଦେବା, ସମସ୍ତ ପ୍ରକାରର କୃଷି ଋଣ ଛାଡ କରିବା, ସ୍ଵାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ C2+50% ଏମ୍.ଏସ୍.ପି. ନିର୍ଦ୍ଧାରଣ କରିବା, ହାତୀ, ମାଙ୍କଡ, ବାର୍ହା, ବୁଲାଷଣ୍ଢ, ଗୋରୁ ମାନଙ୍କ ଉପଦ୍ରବ ବନ୍ଦ କରି ଚାଷୀମାନଙ୍କର ଧନ ଜୀବନ ସୁରକ୍ଷା କରିବା, ଭାଗଚାଷୀମାନଙ୍କୁ ଧାନ ମଣ୍ଡିରେ ଧାନବିକ୍ରି ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ପରିଚୟ ପତ୍ର ପ୍ରଦାନ କରିବା ଆଦି ରହିଛି।
ଦାବିପତ୍ର ପ୍ରଦାନ ବେଳେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସଞ୍ଜୟ ସାହୁ, ସୁବାସ ଦେହୁରୀ ଏବଂ ଚାଷୀ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ କୁମାର ଦାସ, ଅଚ୍ୟୁତାନନ୍ଦ ମିଶ୍ର, ବ୍ରଜମୋହନ ସାହୁ, ଦୁର୍ଗାଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।