କଳା ଓ ସଂସ୍କୃତି

ବାସନ୍ତୀ ଦୁର୍ଗାପୂଜା: ବ୍ରହ୍ମକୁମାରୀ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

By Biswaranjan Pattnaik

April 03, 2025

ଅନୁଗୁଳ: ଆଜି ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ମା’ ଙ୍କ ବିଲ୍ଵ ବରଣ କାର୍ଯ୍ୟକ୍ରମ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହାପରେ  ସାଂସ୍କୃତିକ ମଣ୍ଡପରେ ଏକ ଘଣ୍ଟାଧରି ନାମ ସଂକୀର୍ତନ ଆୟୋଜିତ ହୋଇଥିଲା। ତତ୍ପରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ  କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

ସମାରୋହକୁ ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ଉଦଘାଟନ କରିଥିଲେ। ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଭାରତ ବିକାଶ ପରିଷଦର ସଭାପତି ଶାନ୍ତନୁ ସର, ବିଜୟ ମୋଦି, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା, ଯୋଗଗୁରୁ ଅଭୟ ରାୟ, ଭଉଣୀ ଅନିତା ସିଂ ଦେଓ, ଭଉଣୀ ମିନତୀ ଏବଂ ବ୍ରହ୍ମାକୁମାରୀ ସଂସ୍ଥାର ବହୁ ଉଦ୍ୟୋକ୍ତା ଓ ପ୍ରବଚକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।

ସାମ୍ପ୍ରତିକ ସମାଜରେ ଅବସାଦ, ମାନସିକ ଦୁଶ୍ଚିନ୍ତା ଅତି ସାଧାରଣ ଘଟଣା ହୋଇଥିବାବେଳେ ବ୍ରହ୍ମାକୁମାରୀଙ୍କ ସ୍ମୃତି ଅନୁଭୂତି ଓ ସାଧନା ସମାଜରେ ଏକ ଆଧ୍ୟାତ୍ମିକ ଜୟଯାତ୍ରା ସୃଷ୍ଟି କରିଛି ବୋଲି ମୁଖ୍ୟବକ୍ତା ସର ପ୍ରକାଶ କରିଥିଲେ। ଆତ୍ମା ପରମାତ୍ମାର କିଭଳି ମିଳନ ହେବ ସମାଜ ମଙ୍ଗଳମୟ ହେବ ସେଥିନେଇ ସମ୍ମାନିତ ଅତିଥିମାନେ ଆଲୋଚନା କରିଥିଲେ।ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।