ମୁଖ୍ୟ ଖବର

‘ଠିପି ବନ୍ଦ’ ଦୋକାନ ସାମ୍ନାରେ ଖୋଲା ବାର୍‌: ଖୋଲାଖୋଲି ବିକ୍ରି ହେଉଛି ଚାଖଣା, ପିଆ ଚାଲିଛି ମଦ

By Angul TV Bureau

August 10, 2025

ଅନୁଗୁଳ: ବାହାରେ ଲେଖାହୋଇଛି ‘ଠିପି ବନ୍ଦ’ ଦୋକାନ। ହେଲେ ଦୋକାନ ଆଗରେ ଠିପି ଖୋଲି ଚାଲିଛି ମଦ ପିଆ। ଖୋଲା ବାର୍‌ର ଭ୍ରମ ସୃଷ୍ଟି କରୁଛି। ଆଉ ସାମ୍ନାରେ ବି ମିଳିଯାଉଛି ମାଛ ଭଜାଠୁ ଚିକେନ କଷା ଯାଏଁ ଭଳିକି ଭଳି ଚାଖଣା। ଜଗିବାକୁ କେହି ନାହିଁ କି କହିବାକୁ କେହିନଥିବାରୁ। ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ ବଡ଼କେରାରେ ଥିବା ମଦ ଦୋକାନ ସାମ୍ନାରେ ନିତି ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ।

ଦାଣ୍ଡରେ ମଦ ପିଉଛନ୍ତି ଓ ଅଭଦ୍ର ବ୍ୟବହାର ବି କରୁଛନ୍ତି। ମଦ୍ୟପଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି। ହେଲେ ମୁହଁ ଖୋଲୁନି ପୋଲିସ। ସବୁ ଦେଖି ଆଖିବୁଜି ଦେଇଛି। ନିୟମ ରହିଛି, ଠିପି ବନ୍ଦ ମଦ ଦୋକାନ ସାମ୍ନାରେ ମଦ ପିଇ ପାରିଵେ ନାହିଁ। ଏମିତିକି ମଦ ଦୋକାନ ସାମ୍ନାରେ କେହି ଚାଖଣା, ପାଣି, ଗ୍ଲାସ ବିକ୍ରି କରିପାରିବେ ନାହିଁ। ମାତ୍ର ବଡ଼କେରା ଅଞ୍ଚଳରେ ଏହି ନିୟମ ଚୁଲିକି ଯାଇଛି। ପୁଲିସ ସବୁ ଦେଖି ନିରବ ରହୁଥିବାରୁ କେହି ମାନୁନାହାନ୍ତି ନିୟମ।

ମଦ ଦୋକାନଠାରୁ ମାତ୍ର ୩୦୦ ମିଟର ଦୂରରେ କଲେଜ ଅଛି। ଏମିତି ସ୍ଥିତି ଫଳରେ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ଏ ସମ୍ପର୍କରେ ବନ୍ତଳା ଥାନାଧିକାରୀ ନଟବର ନନ୍ଦଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ସେପଟେ ଅବକାରୀ ବିଭାଗ ଅଧିକାରି ବି ମୁହଁ ଖୋଲୁ ନାହାନ୍ତି।

ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନଜାଗରଣ ମଞ୍ଚ ଦାବି କରିଛି।