ମୁଖ୍ୟ ଖବର

ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ: ୨ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

February 17, 2025

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ  ସ୍ଥାନୀୟ ଲୋକ ଏବଂ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ଦ୍ବୟ ହେଲେ ବନ୍ତଳା ଥାନା ଧୋକୁଟା ପଞ୍ଚାୟତ କହ୍ନେଇନଗର ଅଞ୍ଚଳର ଶିବରାମ ନାଏକ(୨୭)ଓ ବିଷ୍ଣୁ ଚରଣ ନାଏକ(୪୦)। କୌଣସି ବେପାରଙ୍କୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା ତିକ୍ତତା ଲାଗି ରହିଥିବା ବେଳେ ଆଜି ଏପରି କାଣ୍ଡ ହୋଇଛି।

ସୂଚନା ମୁତାବକ, ଆଜି ରାତି ପ୍ରାୟ ୯ ଟା ବେଳେ ଏକ ବାଇକ ଯୋଗେ ଶିବରାମ ଏବଂ ବିଷ୍ଣୁଚରଣ ଆସୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଆସିବାରୁ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲା। ପରେ ସ୍ଥାନୀୟ ଲୋକ ଉଭୟଙ୍କୁ  ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିବରାମଙ୍କ ପେଟର ଡାହାଣ ପାର୍ଶ୍ଵରେ ଗୁଳି ଲାଗିଥିବା ବେଳେ ବିଷ୍ଣୁଙ୍କ ଜଙ୍ଘରେ ଗୁଳି ବାଜିଛି। ଘଟଣା ସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।