ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମରଣ୍ଡା ଗାଁ ପାଖ ଆମ୍ବ ତୋଟାରୁ ବାରହା ମାଂସ, ଚମଡ଼ା ଓ ୨ଟି ବୋମା ଜବତ ହୋଇଛି। ଏଥିସହ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ମରଣ୍ଡା ଗାଁର ନରୋତ୍ତମ ବେହେରା (୫୫)।ସୂଚନା ମୁତାବକ, ନରୋତ୍ତମ ବୋମା ଲଗାଇ ବାରହା ଶିକାର କରି ଗାଁ ପାଖ ଆମ୍ବ ତୋଟାରେ ମାଂସ ବିକ୍ରି କରୁଥିଲା। ଶିକାରୀଙ୍କ ସହଯୋଗୀ ବ୍ୟକ୍ତି ଭାଗବଣ୍ଟାକୁ ନେଇ ଶିକାରୀ ସହ ଗଣ୍ଡଗୋଳ ହେବାରୁ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲା। ଖବର ପାଇ ବନ୍ତଳା ବଅଁରପାଳ ପ୍ରସନ୍ନ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶିକାରୀକୁ କାବୁ କରି ନେଇଥିଲେ। ଶିକାରୀ ନିକଟରୁ ମାଂସ ଚମଡ଼ା ସର ଶିକାର ପାଇଁ ବ୍ୟବହାର କରିଥିବା ଦୁଇଟି ବୋମା ଜବତ କରିଛି ବନବିଭାଗ। ଏନେଇ ଏକ ମାମଲା ରୁଜୁ କରି ଏସିଏଫ୍ ବିଦ୍ୟାସାଗର ଶିକାରୀକୁ କୋର୍ଟ ଚାଲାଣ କରିଛନ୍ତିି। ଅନ୍ୟପଟେ ଶିକାରୀଙ୍କ ସହ ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ଥିବାରୁ ସେମାନେ ଜାଣି ଶୁଣି ଶିକାରୀ ପ୍ରତି କୋହଳ ମନୋଭାବ ପୋଷଣ କରିବା ଅଭିଯୋଗରେ ନୂଆକ୍ଷେତା ଫରେଷ୍ଟର ସିପୁନ ବେହେରାଙ୍କୁ ଅନୁଗୁଳ ଡିଏଫ୍ଓ ନୀତିଶ କୁମାର ନିଲମ୍ବିତ କରିଛନ୍ତି।