ମୁଖ୍ୟ ଖବର

ଅନୁଗୁଳ ଓକିଲ ସଂଘ ନିର୍ବାଚନ: ହାଇକୋର୍ଟଙ୍କ ହସ୍ତକ୍ଷେପ, ବାଦ୍ ପଡ଼ିଥିବା ୩ ସଭ୍ୟ ଦେବେ ଭୋଟ୍

By Angul TV Bureau

March 27, 2026

ଅନୁଗୁଳ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ୨୦୨୬-୨୭ ବର୍ଷ ପାଇଁ ଅନୁବନ୍ଧିତ ଓକିଲ ସଂଘଗୁଡ଼ିକର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଓକିଲ ସଂଘର ଭୋଟର ତାଲିକାରୁ ପ୍ରାୟ ୧୪୩ ଜଣ ସଭ୍ୟଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଥିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଅସନ୍ତୁଷ୍ଟ ହୋଇ ୩ ଜଣ ଆଇନଜୀବୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବେଳେ ଏଥିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ସମେତ ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ଗୁରୁବାର ଦିନ ହାଇକୋର୍ଟ ରିଟ୍ ପିଟିସନ୍ ନମ୍ବର WP(c) ୭୦୧୭/୨୬ର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୮ ତାରିଖ ନିର୍ବାଚନରେ ସୁଦୀପ୍ତ କୁମାର ମିଶ୍ର, ଦେବାଶିଷ ମହାନ୍ତି ଏବଂ ସୁଧୀର କୁମାର ମିଶ୍ର ମତଦାନ କରିପାରିବେ। ଭୋଟର ତାଲିକାରୁ ନାମ କଟିଥିବା ଅଭିଯୋଗ ଭିତରେ କୋର୍ଟଙ୍କ ଏହି ହସ୍ତକ୍ଷେପ ସମଗ୍ର ଅନୁଗୁଳ ଆଇନଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଷ୍ପତ୍ତି ପରେ ବାଦ୍ ପଡ଼ିଥିବା ଅନ୍ୟ ସଭ୍ୟଙ୍କ ମଧ୍ୟରେ ମଧ୍ୟ ଆଶା ସଞ୍ଚାର ହୋଇଛି।