ମୁଖ୍ୟ ଖବର

ବିଜେପି ସରକାରର ବିଫଳତା ବିରୋଧରେ ଅନୁଗୁଳରେ ବିଜେଡିର ଗର୍ଜନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ

By Angul TV Bureau

February 11, 2026

ଅନୁଗୁଳ: ରାଜ୍ୟର ବିଜେପି ସରକାର ଅମଳରେ ବଢୁଥିବା ଖଣିଜ ଚୋରି, ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି, ଚାଷୀ ମାରଣ ନୀତି ଏବଂ ନାରୀ ନିର୍ଯାତନା ବିରୋଧରେ ଆଜି ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇ ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିଛନ୍ତି।

ଅନୁଗୁଳ ବିଜୁ ମୈଦାନଠାରେ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଜୁ ମୈଦାନରୁ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଧାନ କ୍ରୟରେ ଅନିୟମିତତା ଓ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକାରୀମାନେ ସରକାରଙ୍କ ବିରୋଧରେ ଜୋରଦାର ସ୍ଲୋଗାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଦଳର ଉପ-ସଭାପତି ପ୍ରତାପ ଜେନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ମୁକେଶ ପାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଏବଂ ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କ ଜନବିରୋଧୀ ନୀତି ଉପରେ ବର୍ଷିଥିଲେ।

ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ପୌରାଞ୍ଚଳ ଅଧ୍ୟକ୍ଷ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।