ଅନୁଗୁଳ: ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଅନୁଗୁଳଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଅନୁଗୁଳ ରାଜା ଛକଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଓ ବିଜେଡି ନେତା ଡଃ ଅବିନାଶ ସାମଲ ପ୍ରମୁଖ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ସମାଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବ ଜେନା, ସନ୍ତୋଷ ପ୍ରଧାନ, ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ ସାମନ୍ତ, ସୁଜିତ ଦ୍ୱିବେଦୀ, ଶିବାନୀ ଶଙ୍କର ଗୌଡ଼, ଚନ୍ଦ୍ରକାନ୍ତ ପ୍ରଧାନ ଓ ଓକିଲ ସଂଘର କର୍ମକର୍ତ୍ତାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ, ରାଜୀବ ଲୋଚନ ଦାସ ଓ ଶୁଭ୍ରାଂଶୁ ଶେଖର ଜିତଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଜିଲ୍ଲାର ପଞ୍ଚାୟତ, ପୌରପାଳିକା ୱାର୍ଡ ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ଯୁବ, ଛାତ୍ର ଓ ମହିଳା ବିଜେଡିର ହଜାର ହଜାର ସଦସ୍ୟ ସାମିଲ ହୋଇଥିଲେ।