ମୁଖ୍ୟ ଖବର

ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ଆରୋହୀଙ୍କ ମୃତ୍ୟୁ

By Angul TV Bureau

June 11, 2025

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ାରୁ ପିଟିସି ଛକ ଯିବା ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ପଛରୁ ବସ ଧକ୍କା ଦେବା ସହ ଘୋଷାଡି ନେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିନ୍ଦୋଳ ଉପଖଣ୍ଡ ପାଟଲା ଗ୍ରାମର ଶିବରାମ ସାହୁ(୪୮)।ଶିବରାମ ସୁସୁଡା ଅଞ୍ଚଳରେ ରହୁଥିବା ବେଳେ ପିଟିସି ନିକଟରେ ଏକ ବ୍ୟାଟେରୀ ଦୋକାନ କରିଥିଲେ। ଆଜି ସେ ବାଇକ (ଓଡ଼ି ୧୯ ଓ ୭୩୮୯) ଯୋଗେ ଦୋକାନରୁ ଶିମିଳିପଡ଼ା ଆଡକୁ କାମ କରିବାକୁ ଆସିଥିଲେ। କାମ ସାରି ଦୋକାନକୁ ଫେରୁଥିବା ବେଳେ ଶିମିଳିପଡାରୁ ରାଜ ହୋଟେଲ ଛକକୁ ପଡ଼ିଥିବା ରାସ୍ତାରେ ଏକ ଅଜଣା ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ବାଇକରୁ ଖସି ପଡ଼ିବାରୁ ବସ୍ ତାଙ୍କୁ ଘୋଷାଡ଼ି ନେଇଥିଲା। ତାଙ୍କ ଛାତି, ପେଟ, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାସ୍ଥଳରେ କଂଗ୍ରେସ ନେତା ବଲବୀର ସିଂ, ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ସଂକରଣ ସାହୁ, ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ସହାୟତା ପାଇଁ ପ୍ରଶାସନ ସହ ଆଲୋଚନା କରିଥିଲେ। ଏଥିସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରଶାସନ, ବସ ମାଲିକ ସଂଘ ସଭାପତି ମାନୁ ସାମଲ,ଟ୍ରକ ମାଲିକ ସଂଘ ସଭାପତି ଅମରେଶ ସ୍ୱାଇଁ ଓ ସମ୍ପାଦକ ରଜତ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ଟ୍ରକ ମାଲିକ ସଂଘ ପକ୍ଷରୁ ୩୦ ହଜାର, ବସ ମାଲିକ ସଂଘ ପକ୍ଷରୁ ୪୦ ହଜାର, ରେଡକ୍ରସ ପକ୍ଷରୁ ୧୦ ହଜାର ଏବଂ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜ ତରଫରୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି।