ଅନୁଗୁଳ: ଅନୁଗୁଳ ସ୍ଥିତ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ସର୍କଲ ସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ଦିବସ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ସଞ୍ଜୟ କୁମାର ସ୍ୱାଇଁ, ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଢେଙ୍କାନାଳ ଡିଏଫଓ ସୁମିତ କର, ଆଠମଲ୍ଲିକ ଡିଏଫଓ ସନ୍ତୋଷ କୋପୁଲା, ସାତକୋଶିଆ ଡିଏଫଓ ଗଦାଧର ପାତ୍ର ଏବଂ ଅନୁଗୁଳ ଏସିଏଫ୍ ସିଦ୍ଧାର୍ଥ ଜୈନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶେଷ କରି ସମ୍ମୁଖ ଧାଡ଼ିର ବନ କର୍ମଚାରୀଙ୍କ କ୍ଷେତ୍ର ସ୍ତରୀୟ ଦକ୍ଷତା ବୃଦ୍ଧି ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ବନ୍ୟପ୍ରାଣୀ ଗଣନା କୌଶଳ, ହାତୀଙ୍କ ମୃତଦେହ ବ୍ୟବଚ୍ଛେଦ ନିୟମାବଳୀ, ହାତୀଙ୍କ ସୁରକ୍ଷିତ ଉଦ୍ଧାର ଓ ସ୍ଥାନାନ୍ତର ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ବନ୍ୟପ୍ରାଣୀ ଅପରେସନ୍ ସମୟରେ ଜନସାଧାରଣଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ବନ୍ୟପ୍ରାଣୀ ସମ୍ବନ୍ଧୀୟ ବିଭିନ୍ନ ଆଇନଗତ ପ୍ରାବଧାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଯାହାଫଳରେ ବନ୍ୟପ୍ରାଣୀ ଅପରାଧ ରୋକିବା ଓ କ୍ଷେତ୍ର ସ୍ତରରେ ସଠିକ୍ ସମନ୍ୱୟ ରକ୍ଷା କରିବା ସହଜ ହୋଇପାରିବ।