ଅନୁଗୁଳ: ପୋଲିସର ଭୂମିକା, ଦାୟିତ୍ୱ ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଜାଣିବା ପାଇଁ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଥାନା ପରିଦର୍ଶନ କରିଛନ୍ତି। ଶିକ୍ଷାମୂଳକ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ମାନେ ଗୋପାଳପ୍ରସାଦ ଥାନା ଓ ବଅଁରପାଳର ଶିଶୁ ଅନୁକୂଳ ଥାନାକୁ ଯାଇ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ପରିଦର୍ଶନ ସମୟରେ ସେମାନଙ୍କୁ ଥାନାର କାର୍ଯ୍ୟ ପ୍ରଣାଳୀ, ଅଭିଯୋଗ ଦାଖଲ ପ୍ରକ୍ରିୟା, ଆଇନ-ଶୃଙ୍ଖଳା ରକ୍ଷା ଓ ଜନସୁରକ୍ଷା ଦିଗରେ ପୋଲିସର କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା।ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ କହିଥିଲେ, ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ସମାଜରେ ଶାନ୍ତି, ସୁରକ୍ଷା ଓ ନ୍ୟାୟ ପ୍ରତିଷ୍ଠାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଶିଶୁ ଅନୁକୂଳ ଥାନାରେ ଶିଶୁ ସୁରକ୍ଷା, ଶିଶୁ ଅଧିକାର ଓ ସମ୍ବେଦନଶୀଳ ମାମଲାରେ ପୋଲିସ କିପରି ସହାନୁଭୂତିଶୀଳ ଭାବେ କାମ କରେ, ସେ ବିଷୟରେ ଛାତ୍ରଛାତ୍ରୀମାନେ ଜାଣିଥିଲେ। ଥାନାର ସ୍ୱତନ୍ତ୍ର ବ୍ୟବସ୍ଥା ଓ ପରିବେଶ ସେମାନଙ୍କୁ ଆକୃଷ୍ଟ କରିଥିଲା।
ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଓ ଦ୍ୱନ୍ଦ୍ୱ ଦୂର କରିବା। ପୋଲିସ ସାଧାରଣ ଲୋକଙ୍କ ସହାୟତା ଓ ସୁରକ୍ଷା ପାଇଁ ସଦା ସଜାଗ ଅଛି ବୋଲି ଛାତ୍ରଛାତ୍ରୀମାନେ ବୁଝିପାରିଥିଲେ।
କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଏପରି ପ୍ରାୟୋଗିକ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା, ସାମାଜିକ ଦାୟିତ୍ୱବୋଧ ଓ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଆଗ୍ରହ ବଢାଏ। ଛାତ୍ରଛାତ୍ରୀମାନେ ଏହାକୁ ଏକ ଅନୁଭୂତିମୂଳକ ଶିକ୍ଷା ବୋଲି କହିବା ସହ ପୋଲିସ ପ୍ରତି ସକାରାତ୍ମକ ଧାରଣା ସୃଷ୍ଟି ହୋଇଥିବା ମତ ଦେଇଥିଲେ।