ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଯୁବତୀଙ୍କୁ ଅସଦାଚରଣ ମାମଲାରେ ବନ୍ଧା ହୋଇଛନ୍ତି ଯୁବ ନେତା ସୁଦୀପ୍ତ ସ୍ବାଇଁ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉଦବେଗ ପ୍ରକାଶ କରିବା ସହ ସରକାରୀ ଦଳର ନେତା ହୋଇଥିବା ଯୋଗୁଁ ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି।
କଂଗ୍ରେସର ଅଭିଯୋଗ ଅନୁସାରେ, ପୀଡ଼ିତା ୪ ଦିନ ହେଲା ଅଭିଯୋଗ କଲେ ମଧ୍ୟ ପୋଲିସ ମାମଲା ଦାୟର କରୁ ନଥିଲା। ସ୍ଥାନୀୟ ବିଧାୟକଙ୍କ ଚାପାରେ ପୋଲିସ ଯୁବତୀଙ୍କ ଅଭିଯୋଗ ରଖି ଚୁପଚାପ ବସି ଯାଇଥିଲା। ଗତକାଲି ସନ୍ଧ୍ୟାରେ ଚାପ ପକାଯିବାରୁ ଏବଂ ଯୁବତୀ ଜଣଙ୍କ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେବାପରେ ବନ୍ତଳା ପୋଲିସ ତରବରିଆ ଭାବରେ ମାମଲା ଦାୟର କରି ଆଜି ଭୋରରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଏଣୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ନଚେତ ଆଗକୁ ଏସପି ଅଫିସ ଘେରାଉ କରାଯିବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଜିଲ୍ଲାକଂଗ୍ରେସ।