କ୍ରୀଡ଼ା

ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଟ୍ରଫି ହାତେଇଲା କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ

By Biswaranjan Pattnaik

February 02, 2025

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁରର ଏମୟୁସିସି ଦଳକୁ ହରାଇ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ଦଳ ୩ ଉଇକେଟରେ ବିଜୟୀ ହୋଇ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଠାରୁ ଉମାଶଙ୍କର ମେମୋରିଆଲ ଟ୍ରଫି ସହ ଏକ ଲକ୍ଷ ପୁରସ୍କାର ରାଶି ଗ୍ରହଣ କରିଛି। ଟସ୍ ଜିତି ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ଦଳ ୧୯.୪ ଓଭରରେ ୧୦ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲେ।

ପରେ କଟକ ରାଇଜିଙ୍ଗ ଦଳ ୧୮.୧ ଓଭରରେ ୭ ଉଇକେଟ ହରାଇ ନିର୍ଦ୍ଧାରିତ ୧୧୮ ରନ କରି ୩ ଉଇକେଟରେ ବିଜୟ ହାସଲ କରିଥିଲା।ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳର ଖେଳାଳି ଆର ଚିନା ରାଜୁଙ୍କୁ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି ପୁରସ୍କୃତ କରିଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କଟକର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି।

ଚାମ୍ପିୟନ ଟିମକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ଓ ରନର୍ସ ଅପ୍ ଟିମକୁ ଟ୍ରଫି ସହ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କ୍ରିକେଟ ତାରକା ଦେବାଶିଷ ମହାନ୍ତି, ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଏଡିଏମ ଉଦୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ମାୟାଧର ବେହେରା, ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାଁନ, ନାଲକୋର ଅଧିକାରୀ ଶୁଭେନ୍ଦୁ ନାୟକ, ଟାଟାର ମୁଖ୍ୟ ବୀରେନ୍ଦ୍ର କୁମାର ସିଂହ ଏବଂ ଅନୁଗୁଳ କ୍ରିକେଟ ସଂଘର ସମ୍ପାଦକ ସାଗର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଜିର ଫାଇନାଲ ମ୍ୟାଚକୁ ଓସିଏର ଅମ୍ପାୟାର ଆଶୁତୋଷ ପାଣି ଓ ମହେଶ ମୁନସୀ ପରିଚାଳନା କରିଥିବା ବେଳେ ନିକ୍ସନ ସାହୁ ଓ ସୂର୍ଯ୍ୟ ରାଉତ ସ୍କୋରର ଦାୟିତ୍ୱ ତୁଲାଇଥିଲେ।