କ୍ରୀଡ଼ା

ସର୍ବ ଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

By Biswaranjan Pattnaik

January 30, 2025

ଅନୁଗୁଳ: ଆଜି ଅନୁଗୁଳ କଦମ ପଡିଆରେ ସର୍ବଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିବା ସହ କ୍ରିକେଟର ଲୋକପ୍ରିୟତା ଏବେ ସର୍ବ ବ୍ୟାପି ବୋଲି ପ୍ରକାଶ କରିଥିଲେ। ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ରୂପେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଅବଦଲ ଏମ ଅଖତାର,ନଗରପାଳ ଅକ୍ଷୟ କୁମାର ସାମନ୍ତ, ପୌର ଉପାଧ୍ୟକ୍ଷା ଅନୁପମା ସାହୁ,ଉପ ଜିଲ୍ଲାପାଳ ମାୟାଧର ବେହେରା, କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜେଏସପିଏଲର ବରିଷ୍ଠ ମହାପ୍ରବନ୍ଧକ ଜୟନ୍ତ ମହାନ୍ତି ଏବଂ ପୌର ପାରିଷଦ ମାନେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ କ୍ରିକେଟ ଆସୋସିଏସନ ସମ୍ପାଦକ ସାଗର ମିଶ୍ର ଏବଂ ଅନ୍ୟକର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ଅନୁଗୁଳ କ୍ରିକେଟ କ୍ଲବ ଓ ୟୁନିଅନ ସ୍ପୋର୍ଟିଂ, କଟକ ମଧ୍ୟରେ ହୋଇଥିଲା। ଅନୁଗୁଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ୬ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା। ଜବାବରେ କଟକ ୧୫. ୧ ଓଭରରେ ୮ ଉଇକେଟ ହରାଇ ବିଜୟ ଲାଭ କରିଥିଲା। କଟକର ରାମେଶ୍ୱର ବାରିକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ସମ୍ବଲପୁର ଓ ମୁମ୍ବାଇ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ୧୮ ଓଭରରେ ୭ ଉଇକେଟ ହରାଇ ୧୭୨ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୨.୧ ଓଭରରେ ମାତ୍ର ୭୩ ରଣ କରି ଅଲ ଆଉଟ ହୋଇଯାଇଥିଲା। ଆୟୁଷ ଖ୍ରୀଷ୍ଟଫର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।