ଅନୁଗୁଳ: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଶନିବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିୟୋଜିତ ପ୍ରଭାରୀ ତଥା ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଯେଉଁ ଭଳି ଭାବରେ କେନ୍ଦ୍ରର ବିଜେପି ସରକାର ଉଚ୍ଛେଦ କଲେ, ତାହାକୁ ନିନ୍ଦା କରିଥିଲେ। ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ପୁନଃ ପ୍ରଚଳନ କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଚୁପ୍ ହୋଇ ବସିବ ନାହିଁ ବୋଲି ପ୍ରକାଶ କରିଥିଲେ।
ଏଥିସହ ଟାଟା କମ୍ପାନୀର ମନମାନି ନିରୀହ ଜନତାଙ୍କୁ ଘୋର ଅନ୍ଧକାର ଭିତରକୁ ଟାଣି ନେଇଛି। ଏଣୁ ରାଜ୍ୟ ସରକାର ତୁରନ୍ତ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଯୋଗାଇବା ସହ କୃଷିକ୍ଷେତ୍ରରେ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ସେ ଦାବି କରିଥିଲେ। ଏ ଅବସରରେ ଚାଷୀ ସମସ୍ୟା ପ୍ରସଙ୍ଗକୁ ନେଇ ବର୍ଷିଥିଲା କଂଗ୍ରେସ।ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ବିକାଶ ସାମଲ, ରୂପାଦୀପ୍ତା ମହାପାତ୍ର, ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଏଲ ମାଣିକପ୍ରଭା, ଚିତ୍ତରଞ୍ଜନ ନାଏକ, ସୁଦୀପ ମିଶ୍ର, କଂଗ୍ରେସ ନେତା ବଲବୀର ସିଂହ, ତପନ ପ୍ରଧାନ, ବିନୋଦ ମାଝୀ, ରାକେଶ ମିଶ୍ର, ବାସୁଦେବ ସାମଲ, ସୁବାସ ସାହୁ, ଭଜନ ଦାସ, ଜଗନ୍ନାଥ ବେହେରା, ହେମନ୍ତ ମହାଳିକ, କସିଦା ଖାନ, ଅଳକା ମହାନ୍ତି, ଅଳକା ମହାପାତ୍ର, ଅରୂପ ସାମଲ, ଜମ୍ବେଶ୍ବର ପଟ୍ଟନାୟକ, ଅଲେଖ ବେହେରା, ଅରୁଣ ଦାସ, କୁମୁଦ ବନ୍ଧୁ ଧର, ସଂଗ୍ରାମ ବେହେରା, ବିଜୟ କୁମାର ନାୟକ, ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।