ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

By Angul TV Bureau

September 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ ପାଇଁ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ପୂର୍ବତନ ସାଂସଦ ଡି. କେ. ସୁରେଶ ସୋମବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ଭବନରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ ରହିଛି ଏବଂ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କଲେ କୌଣସି ଶକ୍ତି ଦଳକୁ କ୍ଷମତାରୁ ଦୂରେଇ ରଖିପାରିବ ନାହିଁ।

ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ନିର୍ଦ୍ଦେଶରେ ତୃଣମୂଳ ସ୍ତରରୁ କର୍ମୀମାନଙ୍କ ମତାମତ ଆଧାରରେ ଜିଲ୍ଲା ସଭାପତି ଚୟନ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଡି. କେ. ସୁରେଶ ଅନୁଗୁଳରେ ତିନି ଦିନ ରହି ବ୍ଲକ, ନଗର ଓ ସମସ୍ତ ବର୍ଗର କର୍ମୀଙ୍କ ମତାମତ ସଂଗ୍ରହ କରି ଏହାକୁ ଦଳୀୟ ନେତୃବୃନ୍ଦଙ୍କୁ ପ୍ରଦାନ କରିବେ। ସେ କହିଛନ୍ତି, କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରେ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ସଭାପତି ଚୟନ କରାଯିବ।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବିନୋଦ କୁମାର ପାତ୍ର ଓ ନିରଞ୍ଜନ ନାୟକଙ୍କୁ ସହଯୋଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସ ଓଡ଼ିଶାରେ ଏକମାତ୍ର ନିର୍ଭରଯୋଗ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ସେ ଅନୁଗୋଳ ଜିଲ୍ଲାରେ ବନ୍ୟଜନ୍ତୁ ସମସ୍ୟା, ବାୟୁ ପ୍ରଦୂଷଣ, ସାରର ଅଭାବ ଓ ସ୍ଥାନୀୟ ଅଧିବାସୀଙ୍କ ସ୍ୱାର୍ଥ ଅଣଦେଖା ଭଳି ଗୁରୁତର ସମସ୍ୟାକୁ ଉଠାଇ କଂଗ୍ରେସର ଜନମତ ସମର୍ଥନ ଉପରେ ଆଲୋକପାତ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସସ୍ମିତା ବେହେରା, ବିଜୟାନନ୍ଦ ଚାଉଳିଆ, ଦିଗାମ୍ବର ଗଡନାୟକ, ପ୍ରଫୁଲ୍ଲ ଦାସ, ଜିତେନ୍ଦ୍ର କୁମାର ସାହୁ, ଜଗଦାନନ୍ଦ ପ୍ରଧାନ, ରୂପାଦୀପା ମହାପାତ୍ର, ଗୋପାଳ ଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।