oplus_4456448

ମୁଖ୍ୟ ଖବର

ଟେଣ୍ଡର ବର୍ଜନ କଲା ଅନୁଗୋଳ ଜିଲ୍ଲା ଠିକାଦାର ସଂଘ: ବାତିଲ୍‌ ଟେଣ୍ଡରର ଫି’ ଫେରସ୍ତ ଦାବି

By Angul TV Bureau

August 27, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖରୁ ପ୍ରକାଶିତ ଟେଣ୍ଡରଗୁଡ଼ିକରେ ଠିକାଦାରମାନେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତ ନିଆଯାଇଛି। ବାତିଲ ଟେଣ୍ଡରର ଠିକାଦାର ଦାଖଲ କରିଥିବା ଫି’ ଫେରସ୍ତ କରିବାକୁ ସଂଘ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ଜିଲ୍ଲାର ସମସ୍ତ ସଦସ୍ୟ ତଥା ଅନ୍ୟ ଠିକାଦାରମାନଙ୍କୁ ସଂଘର ଏହି ସର୍ବସମ୍ମତ ନିଷ୍ପତ୍ତିକୁ ଏକତା, ଶୃଙ୍ଖଳା ଓ ସଂଗଠନର ସ୍ୱାର୍ଥ ଦୃଷ୍ଟିରୁ ପାଳନ କରିବାକୁ ଅନୁରୋଧ କରାଯାଇଛି। ବାହାର ଜିଲ୍ଲାର ଠିକାଦାରମାନେ ଅନୁଗୋଳ ଜିଲ୍ଲାର ଟେଣ୍ଡରରେ ଅଂଶଗ୍ରହଣ କରି ସ୍ଥାନୀୟ ଠିକାଦାରମାନଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଭଳି ପରିସ୍ଥିତି ଉପୁଜିଲେ, ସଂଘ ପକ୍ଷରୁ ପୂର୍ବପରି ଗାଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଭାବରେ ପ୍ରତିବାଦ ଓ ବିରୋଧ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି। ଠିକାଦାରମାନଙ୍କ ନ୍ୟାୟସଙ୍ଗତ ଦାବି ଓ ସ୍ୱାର୍ଥ ପ୍ରତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆନଗଲେ ସଂଘର ସାଧାରଣ ସଭା ଓ କାର୍ଯ୍ୟକାରୀ କମିଟିର ଅନୁମୋଦନକ୍ରମେ ପରବର୍ତ୍ତୀ ସମୟରେ ଆଇନସମ୍ମତ ଆନ୍ଦୋଳନ, ଧାରଣା, ପ୍ରତିବାଦ ଏବଂ ଆବଶ୍ୟକ ହେଲେ କାର୍ଯ୍ୟବନ୍ଦ ଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛି ଠିକାଦାର ସଂଘ।

ବୁଧବାର ଅନୁଗୋଳ ସଭାଘରେ ଜିଲ୍ଲା ଠିକାଦାର ସଂଘ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ଠିକାଦାରମାନେ ସଂଘର ନିଷ୍ପତ୍ତିକୁ ଅବମାନନା କରି ଅତ୍ୟଧିକ ନେଗେଟିଭ୍ ଦରରେ ଟେଣ୍ଡର ଦାଖଲ କରିବେ, ସେମାନଙ୍କ କାର୍ଯ୍ୟକୁ ସଂଘ ପକ୍ଷରୁ ଗଭୀର ଭାବରେ ଅନୁଧ୍ୟାନ କରାଯିବ। କମ୍ ଦରରେ କାମ ନେଇ କାର୍ଯ୍ୟର ଗୁଣବତ୍ତା ଓ ଆର୍ଥିକ ଭାବରେ କାମ ସମ୍ପାଦନ କିପରି ସମ୍ଭବ ହେଉଛି, ତାହା ଜାଣିବା ପାଇଁ ଆଇନସମ୍ମତ ଉପାୟରେ ଉକ୍ତ କାର୍ଯ୍ୟର ପ୍ରଗତି ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।

୨୦୨୨ ମସିହା ପରଠାରୁ ରାଜ୍ୟର ସିଡ୍ୟୁଲ୍‌ଅଫ୍‌ ରେଟ୍‌ (ଏସ୍‌ଓଆର୍‌)ରେ ଆବଶ୍ୟକୀୟ ସଂଶୋଧନ ହୋଇନଥିବା ଯୋଗୁଁ ନିର୍ମାଣ ସାମଗ୍ରୀ, ଶ୍ରମିକ ମଜୁରୀ, ଯାନବାହନ, ମେସିନ୍ ଓ ଅନ୍ୟାନ୍ୟ ନିର୍ମାଣ ସମ୍ବନ୍ଧୀୟ ଖର୍ଚ୍ଚ ବୃଦ୍ଧି ସହିତ ବର୍ତ୍ତମାନର ଦରରେ କାମ କରିବା ଠିକାଦାରମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ଠିକାଦାରମାନଙ୍କୁ ପରସ୍ପର ମଧ୍ୟରେ ଅତ୍ୟଧିକ ଦରରେ ପ୍ରତିଯୋଗିତା କରି ଟେଣ୍ଡର ଦାଖଲ କରିବାକୁ ବାଧ୍ୟ କରିବା ଫଳରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା, ଆର୍ଥିକ ସ୍ଥିରତା ଏବଂ ସରକାରୀ କାର୍ଯ୍ୟର ଦୀର୍ଘସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠୁଛି। ବର୍ତ୍ତମାନର ବଜାର ଦର ଓ ନିର୍ମାଣ ଖର୍ଚ୍ଚକୁ ବିଚାରକୁ ନେଇ ନୂତନ ଓ ବାସ୍ତବସମ୍ମତ ଏସ୍‌ଓଆର୍‌ ପ୍ରସ୍ତୁତ ଓ ପ୍ରକାଶ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଥିବା କହିଛନ୍ତି ଜିଲ୍ଲା ଠିକାଦାର ସଂଘ ସାଧାରଣ ସମ୍ପାଦକ ସୁବୋଧ କୁମାର ମହାପାତ୍ର ଓ ସଭାପତି ସୁନୀଲ କୁମାର ପ୍ରଧାନ।