ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ପୋଲିସର ‘ବଣ୍ଟନ ମେଳା’: ଜନତାଙ୍କୁ ସାମଗ୍ରୀ ଫେରସ୍ତ କଲେ କେନ୍ଦ୍ରମନ୍ତ୍ରୀ

By Angul TV Bureau

April 26, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ‘ବଣ୍ଟନ ମେଳା’ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସର ଏହି ଜନକଲ୍ୟାଣକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।ଏହି ମେଳା ମାଧ୍ୟମରେ ବିଭିନ୍ନ ସମୟରେ ଚୋରି ହୋଇଥିବା ବା ହଜିଯାଇଥିବା ମୋବାଇଲ୍ ଫୋନ୍ ଏବଂ ବାଇକ୍‌ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି। ଏହାବ୍ୟତୀତ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୋଲିସର ଏଭଳି ସେବା ମନୋଭାବ ଓ ସମ୍ବେଦନଶୀଳତା ସାଧାରଣ ଜନତାଙ୍କ ମନରେ ସୁରକ୍ଷା ଓ ଭରସାକୁ ଆହୁରି ସୁଦୃଢ଼ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତୀୟ ନ୍ୟାୟ ସଂହିତା’ର ସଫଳ କ୍ରିୟାନ୍ୱୟନ ଦ୍ୱାରା ଦେଶର ନ୍ୟାୟିକ ବ୍ୟବସ୍ଥା ଏବେ ଲୋକାଭିମୁଖୀ ହୋଇପାରିଛି। ଅନୁଗୁଳ ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ବରଂ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।