ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଘରୋଇ ବିଦ୍ୟାଳୟ ଫେଡେରେସନର ପ୍ରଥମ ବାର୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ

By Angul TV Bureau

June 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ବିଦ୍ୟାଳୟ ଫେଡେରେସନର ପ୍ରଥମ ବାର୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସଭାଘରେ ମହାସମାରୋହରେ ପାଳିତ ହୋଇଛି। ଫେଡେରେସନ ସଭାପତି ମନୋରଞ୍ଜନ ଗଡ଼ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ,ଓଡ଼ିଶା ରାଜ୍ୟ ଘରୋଇ ଫେଡେରେସନର ରାଜ୍ୟ ଉପସଭାପତି ସିକତା ଦାସ, ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ, ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଘରୋଇ ବିଦ୍ୟାଳୟ ଫେଡେରେସନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ଼. କରୁଣାକର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଫେଡେରେସନର କାର୍ଯ୍ୟକାରୀ ସଭାପତି ସୁମନ୍ତ ବିଶ୍ୱାଳ ଓ ଉପସଭାପତି ଅଜିତ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ତାଙ୍କ ଭାଷଣରେ ଘରୋଇ ବିଦ୍ୟାଳୟ ଗୁଡିକ ଅର୍ଥ ଉପାର୍ଜନରେ ମନୋଭାବ ନରଖି ସେବା ମନୋବୃତି ରଖି ଶିକ୍ଷା ଦାନ କରନ୍ତୁ ବୋଲି କହିଥିଲେ। ଫେଡେରେସନ ସଂଯୋଜକ ହରେକୃଷ୍ଣ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ଆଠଟି ବ୍ଲକରୁ ୩୪୫ଟି ବିଦ୍ୟାଳୟରୁ ୬୨୫ ଜଣ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ। ଉପସଭାପତି ଅଜିତ ମିଶ୍ର ଧନ୍ୟବାଦ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।