ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ଉଦଘାଟିତ

By Angul TV Bureau

November 01, 2025

ଅନୁଗୁଳ: ଦେଶରେ ନୂଆ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ପରେ ପୀଡିତା ଓ ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟ ସହାୟକ ହେବ ବୋଲି ଜିଲ୍ଲାପାଳ ଅବଦଲ ଏମ ଅଖତର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ।

ଉଦଘାଟନ ଅବସରେ ଏସପି ରାହୁଲ ଜୈନ, ଏଡିଏମ ଉଦୟ ମହାପାତ୍ର, ଡିଏଫଓ ନୀତିଶ କୁମାର, ସିଡିଏମଓ ମଦନ ମୋହନ ସାହୁ, ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ପିପି ପ୍ରଶାନ୍ତ କୁମାର ମଲ୍ଲିକ, ଓକିଲ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁ ସହ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ନୂତନ ନିର୍ଦେଶାଳୟରେ ଉପନିର୍ଦେଶକ ଗଣେଶ କୁମାର ବେହେରା, ସହ-ନିର୍ଦେଶିକା ହରପ୍ରିୟା ସ ଏବଂ ରୀତି ମିଞ୍ଜଙ୍କୁ ଅବସ୍ଥାପିତ କରାଯାଇଛି। କାର୍ଯ୍ୟକ୍ରମକୁ ଉପନିର୍ଦେଶକ ବେହେରା ଓ ଦୁଇ ସହ-ନିର୍ଦେଶିକା ପରିଚାଳନା କରିଥିଲେ।

ପ୍ରତିଷ୍ଠାରେ ସହଯୋଗ ପାଇଁ ସମସ୍ତ ବର୍ଗର ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରି ରାଜ୍ୟ ଅଭିଯୋଜନ ନିର୍ଦେଶାଳୟ ନିର୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋଙ୍କ ପ୍ରେରିତ ବାର୍ତ୍ତାକୁ ଉପନିର୍ଦେଶକ ବେହେରା ପାଠ କରିଥିଲେ।