ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ

By Angul TV Bureau

December 19, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଗତ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ପକ୍ଷରୁ କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା। ଏ ଅବସରରେ ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କମିଟି ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ। ମୁଖ୍ୟତଃ ଦୁର୍ଘଟଣାଗୁଡିକ ୫୫ନଂ ଜାତୀୟ ରାଜପଥରେ ହେଉଥିବାରୁ ବୈଠକକୁ ଆସିଥିବା ଏନ୍. ଏଚ୍ .ଏ .ଆଇର ପ୍ରତିନିଧିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଏନ୍. ଏଚ୍ .ଏ .ଆଇର ପ୍ରତିନିଧିଙ୍କୁ ତାଗିଦ କରି ଆସନ୍ତା ୧୫ ଦିନ ଭିତରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ତୁରନ୍ତ କାର୍ଯ୍ୟକାରୀ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଅନ୍ୟପଟେ ବାରମ୍ବାର ତାଗିଦ୍ ସତ୍ତ୍ବେ ଏନ୍. ଏଚ୍ .ଏ .ଆଇର ମୁଖ୍ୟ କର୍ତ୍ତୃପକ୍ଷ ବୈଠକକୁ ନ ଆସି ପ୍ରତିନିଧିଙ୍କୁ ପଠାଉଥିବାରୁ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ ଜମିବା ସହ ଦୁର୍ଘଟଣା ବଢ଼ିବାର ଅଧିକ ସମ୍ଭାବନା ରହିଥିବାରୁ ପୋଲିସ, ପରିବହନ ଓ ଅବକାରୀ ବିଭାଗର ଅଧିକାରୀଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ ଓ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।