କ୍ରୀଡ଼ା

ରାଜ୍ୟସ୍ତରୀୟ କିକ୍‌ବକ୍ସିଂ ଚାମ୍ପିଅନସିପ୍‌ରେ ଅନୁଗୁଳର ଦବଦବା: ଜିତିଲେ ୭୪ଟି ପଦକ

By Angul TV Bureau

May 10, 2026

ଅନୁଗୁଳ: ଗଞ୍ଜାମର ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ୭ମ ୱାକୋ (WAKO) ଓଡ଼ିଶା ରାଜ୍ୟ ଆମାଚ୍ୟୁର କିକ୍‌ବକ୍ସିଂ ଚାମ୍ପିଅନସିପ୍-୨୦୨୬ରେ ଅନୁଗୁଳର ‘ମାନସ କିକ୍‌ବକ୍ସିଂ ଏକାଡେମୀ’ର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଏକାଡେମୀର ୨୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ମୋଟ ୭୪ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତାର ମୁଖ୍ୟ ଆକର୍ଷଣ ସାଜିଥିଲେ ଯୁବ କିକ୍‌ବକ୍ସର ସୁଚିସ୍ମିତା ଅମାନ୍ତ, ଯିଏ ଏକାକୀ ୫ଟି ସ୍ୱର୍ଣ୍ଣ ପଦକ ଜିତି ନିଜର ଅସାଧାରଣ ଦକ୍ଷତା ପ୍ରତିପାଦିତ କରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ କାର୍ତ୍ତିକ ଡାକୁଆଙ୍କ ତତ୍ତ୍ୱାବଧାନରେ ଏବଂ ସହକାରୀ ପ୍ରଶିକ୍ଷକ ମାନସ ରଞ୍ଜନ ଅମାନ୍ତ ଓ ଶ୍ରୀଧର ରାଜଙ୍କ ମାର୍ଗଦର୍ଶନରେ ଖେଳାଳିମାନେ ଏହି କୃତିତ୍ୱ ଅର୍ଜନ କରିଛନ୍ତି।

ଏହି ବିପୁଳ ସଫଳତା ଅନୁଗୁଳ ଜିଲ୍ଲାରେ କିକ୍‌ବକ୍ସିଂ ପ୍ରତି ରହିଥିବା ଆଗ୍ରହ ଓ ସମ୍ଭାବନାକୁ ସ୍ପଷ୍ଟ କରିଛି। ଏକାଡେମୀର ଏହି ଗୌରବମୟ ବିଜୟ ପାଇଁ ସ୍ଥାନୀୟ କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀମାନେ ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।