oplus_2097152

ମୁଖ୍ୟ ଖବର

ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ଅନୁଗୋଳ, ଭାବବିହ୍ୱଳ ପରିବେଶରେ ମା’ଙ୍କୁ ମେଲାଣି

By Angul TV Bureau

October 22, 2026

ଅନୁଗୋଳ: ଢୋଲ, ନିଶାଣ ଓ ସିଂହବାଜାର ଗର୍ଜନ ସାଙ୍ଗକୁ ପାରମ୍ପରିକ ଲୋକକଳା ଏବଂ ଦଳଗତ ନୃତ୍ୟରେ ଦୁଲୁକିଲା ଅନୁଗୋଳ ସହର। ରଙ୍ଗିନ ଆଲୋକରେ ଝଲସୁଥିବା ସୁସଜ୍ଜିତ ମେଢ଼, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଗୁରୁବାର ଧୁମ୍‌ଧାମରେ ଅନୁଷ୍ଠିତ ହୋଇଛି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ଆନନ୍ଦ ଓ ଉତ୍ସାହର ଏହି ମହୋତ୍ସବ ଶେଷରେ ମା’ଙ୍କୁ ବିଦାୟ ଦେବାବେଳେ ଭକ୍ତଙ୍କ ମନରେ ଭରି ରହିଥିଲା ଭକ୍ତି ଓ ଭାବବିହ୍ୱଳତା।

ଅନୁଗୋଳ ସହରର ଦଶହରା ପଡ଼ିଆ, ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ହୁଲୁରିସିଂହା, ଷ୍ଟେସନ ଛକ, କାଲଟାକ୍ସ ଛକ, ଗାନ୍ଧୀମାର୍ଗ ଛକ, ଗୀତାଗ୍ରାମ ଓ ବସ୍‌ଷ୍ଟାଣ୍ଡ ସମେତ ୧୦ଟି ପ୍ରମୁଖ ପୂଜାମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କୁ ଗୁରୁବାର ଶ୍ରଦ୍ଧା ଓ ଭକ୍ତିର ସହ ବିଦାୟ ଦିଆଯାଇଥିଲା। ପୂଜାର୍ଚ୍ଚନା ପରେ ବିଭିନ୍ନ ମଣ୍ଡପରୁ ବାହାରିଥିବା ଭସାଣି ଶୋଭାଯାତ୍ରା ସହରର ପରିବେଶକୁ ଉତ୍ସବମୁଖର କରିଥିଲା।

ସୁସଜ୍ଜିତ ମେଢ଼ ଆଗରେ ପୂଜା କମିଟିର କର୍ମକର୍ତ୍ତା ଓ ସାହିର ମୁରବିମାନେ ସମାନ ରଙ୍ଗର ପୋଷାକ ପିନ୍ଧି ବେକରେ ଗେଣ୍ଡୁ ଓ ଗଜରା ହାର ପକାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆଧୁନିକ ବାଜା ସହ ପାରମ୍ପରିକ ଢୋଲ, ନିଶାଣ ଓ ସିଂହବାଜାର ତାଳେ ତାଳେ ସହରର ରାସ୍ତାଘାଟ ପ୍ରକମ୍ପିତ ହୋଇଉଠିଥିଲା।ଭସାଣି ଶୋଭାଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଥିଲା ଓଡ଼ିଶାର ପାରମ୍ପରିକ ଲୋକକଳା ଓ ସମରକଳା। ଘଣ୍ଟଘଣ୍ଟୁଆଳ, ଆଲଟ ଚାମର, ଲଉଡ଼ି ଖେଳ ଓ ପାଇକ ସମରକଳାର ନିଆରା ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ପାରମ୍ପରିକ ବାଦ୍ୟର ତାଳେ ତାଳେ ବିଭିନ୍ନ ଦଳର କଳାକାରମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

ମା’ଙ୍କ ଭସାଣି ଦେଖିବା ପାଇଁ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଥିଲା। ଦୂରଦୂରାନ୍ତରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇ ଲୋକେ ମା’ଙ୍କୁ ଶେଷ ଦର୍ଶନ କରିବା ସହ ବିଦାୟ ଜଣାଇଥିଲେ।

ଭସାଣିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ପୂଜା କମିଟିଗୁଡ଼ିକୁ ରୁଟ୍‌ଚାର୍ଟ ପ୍ରଦାନ କରାଯାଇଥିଲା। ସହର ପରିକ୍ରମା ପରେ ବିଭିନ୍ନ ମେଢ଼କୁ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ମା’ଙ୍କ ଆଗମନରେ ଯେଉଁ ସହର ଉତ୍ସବମୁଖର ହୋଇଉଠିଥିଲା, ଭସାଣିର ଶେଷ ମୁହୂର୍ତ୍ତରେ ସେହି ସହରରେ ଛାଇଯାଇଥିଲା ବିଦାୟର ଭାବନା। ମା’ଙ୍କୁ ମେଲାଣି ଦେଇ ଆସନ୍ତା ବର୍ଷ ପୁଣି ତାଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଅନୁଗୋଳବାସୀ।