ମୁଖ୍ୟ ଖବର

ରାଗରୁ ରକ୍ତପାତ! ପାଣି ପାଇଁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ସଭାପତିଙ୍କ ପୁଅ

By Angul TV Bureau

April 03, 2025

ଅନୁଗୁଳ: ପାଣି ନେବାକୁ କେନ୍ଦ୍ର କରି ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ। ଅନୁଗୁଳ ସଦର ଥାନା ଚନ୍ଦ୍ରବାହାଳ ଗାଁରେ ନକୁଳ ବେହେରା(୩୩)ଙ୍କୁ ପାଣି ପାଇଁ ଗାଁର ସଭାପତିଙ୍କ ପୁଅ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହେଇଛି।

ସୂଚନା ମୁତାବକ, ନକୁଳଙ୍କ ପରିବାର ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ ବିଛାଇଥିଲେ। ଏହି ଘଟଣାକୁ ନେଇ ଗାଁ ସଭାପତି ଅନାମ ରାଉତ ଅସନ୍ତୋଷ ପ୍ରକାଶ କରିବା ସହ ଗାଁରେ ସଭା ବସିଥିଲା। କିନ୍ତୁ ଗାଁ ସଭା ଆରମ୍ଭରୁ ସଭାପତିଙ୍କୁ ମାଡ଼ ହୋଇଥିଲା। ଫଳରେ ଗତକାଲି ରାତିରେ ସଭାପତି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସଭାପତିଙ୍କ ପୁଅ ଗତକାଲି ରାତି ସାରା ଗାଁର ବିଭିନ୍ନ ସ୍ଥାନରେ ମାଡ଼ ମାରିଥିବା ଯୁବକଙ୍କୁ ଖୋଜିଥିଲେ। ତେବେ ଗାଁର ନକୁଳ ବେହେରା ଆଜି ଗାଁ ପୋଖରୀକୁ ଗାଧୋଇବା ଯାଉଥିବା ବେଳେ ତାଙ୍କୁ ଯାତ୍ରା ପଡ଼ିଆ ଠାରେ ସଭାପତିଙ୍କ ପୁଅ ରିତେଶ ରାଉତଙ୍କ ସମେତ ଅନ୍ୟ କେତେକ ଯୁବକ ମିଶି ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ନକୁଳଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନକୁଳଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି।