ମୁଖ୍ୟ ଖବର

ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗ, ୭ ଜଣ ଶିକ୍ଷକଙ୍କ ନାମ‌ରେ ଏତଲା

By Angul TV Bureau

December 13, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗରେ ୭ ଜଣ ଶିକ୍ଷକଙ୍କ ନାମ‌ରେ ଏତଲା ଦେଇଛି ଶିକ୍ଷା ବିଭାଗ। ଏ ନେଇ ପୋଲିସ ୯୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଚାକିରି କରୁଥିବା ଏହି ଶିକ୍ଷକମାନେ ଗ୍ରାଣ୍ଟ-ଇନ୍‌-ଏଡ୍‌ ହାତେଇବା ପାଇଁ ଏମିତି ନକଲି ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଛି।

ବଡ଼ହୁଲା ସ୍ବପ୍ନେଶ୍ବର ଜିଉ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା ଛେଣ୍ଡିପଦା ବ୍ଲକ୍‌ ବାଲିପଟା ଗାଁର ସଂଜୟ ବେହେରା, ବଡ଼ଗୁଣ୍ଡୁରି ଡାକେଶ୍ବରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା କୋଶଳାର ରୀନା ସାହୁ, କର୍ଣ୍ଣପୁର କନକେଶ୍ବରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା ଜରପଡ଼ା ଥାନା କୁଶକିଳା ଗାଁର କାଠିଆ ସାହୁ, ବେଣାଗାଡ଼ିଆ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା ଛେଣ୍ଡିପଦା ଥାନା ସନ୍ତରାବନ୍ଧର ଧ୍ରୁବ ଚରଣ ସାହୁ, କୁଶକିଳା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା ବାଲିପଟାର ପଦ୍ମଲୋଚନ ଖିଲାର, ବଳରାମପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା ସନ୍ତରାବନ୍ଧର ସଂଜିତା ପ୍ରଧାନ ଓ କୁଶକିଳା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଥିବା କୁଶକିଳାର ଅରୁନ୍ଧତୀ ବିଶ୍ବାଳ ଏମିତି ନକଲି ବିଇଡି ପ୍ରମାଣପତ୍ର ଦେଇଥିବା ଶିକ୍ଷା ବିଭାଗ ଜାଣିବାକୁ ପାଇଛି। ଏମାନେ ସମସ୍ତେ ଗ୍ରାଣ୍ଟ-ଇନ୍‌-ଏଡ ପାଇଥିବା ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଶିକ୍ଷାଗତ ପ୍ରମାଣ ଭାବେ ଦେଇଥିବା ବିଇଡି ପ୍ରମାଣପତ୍ର ଏମାନେ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟ ଓ ଗୌହାଟି ବିଶ୍ବବିଦ୍ୟାଳୟରୁ ଆଣିଥିବା ଦର୍ଶାଇଥିଲେ। ହେଲେ ସଂପୃକ୍ତ ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ କରିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା।

ପରେ ଅନୁଗୁଳ ଶିକ୍ଷା ବିଭାଗ ପକ୍ଷରୁ ଏଥିନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକକୁ ଅବଗତ କରାଯାଇଥିଲା। ପରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ ଅନୁଗୁଳ ଥାନାରେ ଏନେଇ ଏତଲା ଦେଇଛନ୍ତି।