ଘଟଣା ଓ ଦୁର୍ଘଟଣା

ଆହତ ମାଙ୍କଡ଼କୁ ଉଦ୍ଧାର କଲା ଅନୁଗୁଳ ବନ ବିଭାଗ, ଚିକିତ୍ସା ପରେ ସୁସ୍ଥ ହେଲା

By Angul TV Bureau

May 24, 2026

ଅନୁଗୁଳ: ଅନୁଗୁଳ ବନ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଳଚେର ଅଞ୍ଚଳରେ ଏକ ଆହତ ମାଙ୍କଡ଼କୁ ଉଦ୍ଧାର କରାଯାଇ ତା’ର ଜୀବନ ରକ୍ଷା କରାଯାଇଛି। ବର୍ତମାନ ମାଙ୍କଡ଼ଟି ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁଗୁଳ ବନ ବିଭାଗ କଣ୍ଟ୍ରୋଲ ରୁମ୍‌କୁ ବିରବାହାନପୁର ଗ୍ରାମର ବିଷ୍ଣୁଦେବ ନାଏକଙ୍କ ଠାରୁ ଏକ ସୂଚନା ମିଳିଥିଲା। ସୂଚନା ଅନୁଯାୟୀ, ତାଳଚେର ରେଞ୍ଜ ଅନ୍ତର୍ଗତ ଏଫସିଆଇ ସେକ୍ସନର ଗଣ୍ଠିଗାଡିଆ ବିଟ୍ ଅଞ୍ଚଳର ବିରବାହାନପୁର ଗ୍ରାମ ନିକଟରେ ଏକ ମାଙ୍କଡ଼ ଆହତ ଅବସ୍ଥାରେ ପଡ଼ିରହିଥିଲା।

ଖବର ପାଇବା ମାତ୍ରେ ବନ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ମାଙ୍କଡ଼ଟିକୁ ଉଦ୍ଧାର କରିଥିଲେ। ତାକୁ ତୁରନ୍ତ ତାଳଚେର ପଶୁ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ମାଙ୍କଡ଼ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ତାଳଚେର ରେଞ୍ଜ କାର୍ଯ୍ୟାଳୟରେ ବନ ବିଭାଗର ନିରୀକ୍ଷଣ ଓ ଚିକିତ୍ସା ଅଧୀନରେ ରହିଛି।

ଏହି ଉଦ୍ଧାର ଅଭିଯାନରେ ଫରେଷ୍ଟ ଗାର୍ଡ ମନ୍ମଥ ମହାନ୍ତି, ଗଜମିତ୍ର ଚନ୍ଦନ ସାମଲ, ପ୍ରଦ୍ୟୁମ୍ନ ସାହୁ, ବିଭୂତି ବେହେରା ଏବଂ ଏଲିଫାଣ୍ଟ ସ୍କ୍ୱାଡ୍‌ର ସୁଶାନ୍ତ ମାଝୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବନ ବିଭାଗ ପକ୍ଷରୁ ସୂଚନାଦାତା ବିଷ୍ଣୁଦେବ ନାଏକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ବନ ବିଭାଗ ବନ୍ୟପ୍ରାଣୀ ସୁରକ୍ଷା ଓ ଉଦ୍ଧାର କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛି। କୌଣସି ବନ୍ୟପ୍ରାଣୀ ବିପଦରେ ପଡ଼ିଲେ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ଜଣାଇବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।