ମୁଖ୍ୟ ଖବର

ଅନୁଗୁଳ ବନଖଣ୍ଡରେ ‘ଜୀବଦୟା’ ଅଭିଯାନ: ବନ୍ଧୁକ ଓ ବୋମା ସହ ଶିକାରୀ ଗିରଫ, ବାରହା ମାଂସ ଜବତ

By Angul TV Bureau

February 04, 2026

ଅନୁଗୁଳ: ବନ୍ୟପ୍ରାଣୀ ସୁରକ୍ଷା ଓ ଶିକାରୀଙ୍କ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବଡ଼ଧରଣର ସଫଳ ଆଣ୍ଟି-ପୋଚିଂ ଅପରେସନ କରାଯାଇଛି। ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଜୀବଦୟା’ କାର୍ଯ୍ୟକ୍ରମରେ ଆଜି ଜରପଡ଼ା ଓ ଛେଣ୍ଡିପଦା ରେଞ୍ଜରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମାରଣାସ୍ତ୍ର ଓ ବନ୍ୟଜନ୍ତୁ ଅଙ୍ଗ ଜବତ ହୋଇଛି।

ଜରପଡ଼ାରେ ଏସିଏଫ୍ ସିଦ୍ଧାର୍ଥ ଜୈନ ଓ ରେଞ୍ଜ ଅଫିସର ମାଧବ ନାୟକଙ୍କ ନେତୃତ୍ୱରେ ପୋଲିସ ସହାୟତାରେ ଉଗି ଗ୍ରାମର କିଶୋରୀ ସାହୁଙ୍କ ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ୨ଟି ଦେଶୀ ବନ୍ଧୁକ, ୧୬ଟି ହାତତିଆରି ବୋମା, ୧୦୦ ଗ୍ରାମ ବାରୁଦ, ୪ଟି ହରିଣ ଶିଙ୍ଗ ଏବଂ ଶିକାର ପାଇଁ ବ୍ୟବହୃତ ତାର ଜବତ କରାଯାଇଛି।

ସେହିପରି ଅପରାହ୍ନରେ ଛେଣ୍ଡିପଦାବରେଞ୍ଜ ଅଫିସର ଶୁଭ୍ରା ସୁଚିସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ପାତ୍ରପଡ଼ାଠାରେ ଚଢ଼ାଉ କରାଯାଇ ଦୁଇଜଣ ଅଭିଯୁକ୍ତଙ୍କୁ ବାରହା ମାଂସ ରୋଷେଇ କରୁଥିବା ବେଳେ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ପ୍ରାୟ ୧୧ କେଜି ବାରହା ମାଂସ (କଞ୍ଚା ଓ ରନ୍ଧା), ଗୁଣ୍ଡ ବାରୁଦ, ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି।

ଆଜି ସମଗ୍ର ଅନୁଗୁଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ ଜାରି ରହିଥିଲା। ଏଥିରେ ଏସିଏଫ୍ ନୀଳମଣି ଦେହୁରୀ, ତାଳଚେର ରେଞ୍ଜ ଅଫିସର ଚାରୁଲତା ନାୟକଙ୍କ ସମେତ ସମସ୍ତ ବନରକ୍ଷୀ, ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଓ ଗଜମିତ୍ରମାନେ ସାମିଲ ହୋଇଥିଲେ।