ଅନୁଗୁଳ:ଅକ୍ଟୋବର ୯ ତାରିଖ କୁମାର ପୂର୍ଣ୍ଣିମା ଠାରୁ ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି । ଏଥିପାଇଁ ସହର ଏବେ ନବବଧୂ ଭଳି ସଜେଇ ହେଉଛି। କାଲଟାକ୍ସ ଛକ ଠାରୁ ହୁଳୁରୁସିଂହା ଓ ଭଣ୍ଡୁବର ଠାରୁ ଖଲାରୀ ମଧ୍ୟରେ ଚଳିତ ବର୍ଷ ୨୯ଟି ମଣ୍ଡପରେ ମା ଲଷ୍ମୀ ପୂଜା ପାଇବେ।
କୁହାଯାଏ ୧୯୬୦ ମସିହାରେ ପ୍ରଥମେ ଲକ୍ଷ୍ମୀ ବଜାରରେ ସାର୍ବଜନୀନ ଲଷ୍ମୀ ପୂଜା ଆରମ୍ଭ ହୋଇଥିଲା। ଏହାପରେ ବଜାର ଛକରେ ମା ଙ୍କ ପୂଜା ଆରମ୍ଭ ହୋଇଥିଲା।କାଳକ୍ରମେ ଏହା ଅନୁଗୁଳ ଜିଲ୍ଲାର ସବୁଠାରୁ ବଡ ପାର୍ବଣର ମାନ୍ୟତା ପାଇଥିଲା। ଚଳିତ ବର୍ଷ କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି ଅନୁଯାଇ ମା ଙ୍କ ଦଶ ଦିନ ବ୍ୟାପି ପୂଜା ପରେ ଅକ୍ଟୋବର ୧୯ ତାରିଖରେ ଭଷାଣି ଅନୁଷ୍ଠିତ ହେବ। ଚଳିତ ବର୍ଷ କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜ୍ଜା, ହୁଲୁରୁସିଂହାର ମୂର୍ତ୍ତୀ ଆନନ୍ଦ ବଜାରର ଆଲୋକ ସଜ୍ଜା ଆକର୍ଷଣୀୟ ହେବବୋଲି ଆଶା କରାଯାଉଥିବା ବେଳେ ଜୟ ଦୁର୍ଗା ବଜାର ଅମଲ।ପଡା ପକ୍ଷରୁ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରାଯାଉଛି।
ଚଳିତ ବର୍ଷ ଭଷାଣି ଦିନ ଆତସବାଜି ପ୍ରତିଯୋଗିତା ବନ୍ଦ ରହିବ। ପୂର୍ବରୁ ଅନୁମତି ନେଇଥିବା ୧୨ ଗୋଟି ପୂଜା ମଣ୍ଡପ ସମ୍ମିଳିତ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରି ଥାନା ଛକରୁ ରାଜା ଛକ, ମେଡିକାଲ ଦେଇ ବଜାର ଛକ ଯିବେ ଏବଂ ଏହାପରେ ନିଜର ନିର୍ଦ୍ଧାରିତ ଜଳାଶୟରେ ମୂର୍ତି ବିସର୍ଜନ କରିବେ।ଶୋଭାଯାତ୍ରା ରେ ଡିଜେ ସାଉଣ୍ଡକୁ ନିଷିଦ୍ଧ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ବେଶୀରେ ରାତି ଏଗାରଟା ପର୍ଯ୍ୟନ୍ତ ଚାଲୁରହିବ । ପୂଜା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ପାନୀୟ ଜଳ,ଆଲୋକ,ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ବସଷ୍ଟାଣ୍ଡରେ ସେଣ୍ଟ୍ରାଲ ସାଉଣ୍ଡ ସିଷ୍ଟମ,କେନ୍ଦ୍ରୀୟ ପୂଜା କମିଟିର ଅସ୍ଥାୟୀ ଅଫିସ ଓ ପୋଲିସ ର ମଧ୍ୟ କଣ୍ଟ୍ରୋଲ ରୁମ ରହିବ।ମୋଟାମୋଟି ଭାବରେ ଅନୁଗୁଳର ଲକ୍ଷ୍ମୀପୂଜାକୁ ସରସ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବାପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ମାନ ନିଆ ଯାଉଛି ।