ଅନ୍ୟାନ୍ୟ

ଗଣେଶ ପୂଜା ପ୍ରସ୍ତୁତି ବୈଠକ

By Angul TV Bureau

August 11, 2022

ଅନୁଗୁଳ: ଅନୁଗୁଳ ସହରରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗଣେଶଙ୍କ ପୂଜାକୁ ଶାନ୍ତି ଶୃଖଳାର ସହ ପରିଚାଳନା କରିବା ନିମନ୍ତେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖରେ ବିସର୍ଜନ କାର୍ଯ୍ୟ ଅନୁଷ୍ଠିତହେବ। ବିଭିନ୍ନ ପୂଜା କମିଟିଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ନିମନ୍ତେ ଆଗୁଆ ଅନୁମତି ନେବାକୁ ସ୍ଥିର ହେଲା। ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମାନିବାକୁ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆଗଲା। ମଣ୍ଡପଗୁଡିକ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପୂଜାରେ ପଲିଥିନ ବ୍ୟବହାର ନ କରିବାକୁ ବାରଣ କରାଯାଇଛି। ଯାନବାହନ, ଅଗ୍ନି ନିର୍ବାପକ ଗାଡି ଓ ଆମ୍ବୁଲାନସ ଗାଡି ଯାତାୟତ ପାଇଁ ପୂଜା କମିଟିଗୁଡିକ ଭୂମି ଠାରୁ ଅନ୍ୟୁନ୍ୟ ୧୮ ଫୁଟ ଉଚ୍ଚତାରେ ସେମାନଙ୍କର ତୋରଣ ନିର୍ମାଣ ଓ ଆଲୋକ ସାଜସଜ୍ଜା କରିବାକୁ ସ୍ଥିର କରାଗଲା।

ସେହିପରି ବିସର୍ଜନ ଶୋଭାଯାତ୍ରା ରାସ୍ତାର ଗୋଟିଏ ପାର୍ଶ୍ବରେ କରିବାସହ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଡାକବାଜୀ ଯନ୍ତ୍ର ଓ ଶୋଭାଯାତ୍ରାର ଗତିପଥନିର୍ଦ୍ଧାରଣ ନିମନ୍ତେ ପୁଲିସ ନିକଟରୁ ଆଗୁଆ ଅନୁମତି ଆଣିବାକୁ ପରାମର୍ଶ ଦିଆଯାଇଛି। ଶୋଭାଯାତ୍ରରେ ମେଢଗୁଡିକର କ୍ରମାନ୍ଵୟ ଲଟେରୀ ମାଧ୍ୟମରେ ସ୍ଥିର କରାଯିବ। ବୁଢୀ ଠାକୁରାଣୀ ମନ୍ଦିର ପାର୍ଶ୍ବରେ ଥିବା ଜଳାଶୟ ଓ ସିମିଳିପଡା ନିକଟରେ ଥିବା ଚନ୍ଦନ ନସିଂହୋମ ପାର୍ଶ୍ବବର୍ତ୍ତୀ ଜଳାଶୟରେ ମୂର୍ତ୍ତୀ ବିସର୍ଜନ କରାଯିବ। ମୂର୍ତ୍ତୀଗୁଡିକ ମାଟିରେ ପ୍ରସ୍ତୁତହେବା ସହ ଏଥୁରେ କୌଣସି ପ୍ରକାର କୃତ୍ରିମ ରଙ୍ଗ ବ୍ୟବହାର କରାଯିବ ନାହିଁ। ସମସ୍ତ ପୂଜାକମିଟିଗୁଡିକ ଇ-ଟ୍ରେଜେରୀ ମାଧ୍ୟମରେ ବିଦ୍ୟୁତ୍ ଦେୟ ପୈଠ କରିବା ସହ ନିରାପତ୍ତା ପ୍ରମାଣପତ୍ର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀକୁ ପ୍ରଦାନ କରିବେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ମଧୁସ୍ମିତା ବିଶି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଉପଖଣ୍ଡ ପୁଲିସ ଅଧିକାରୀ ଭବାନୀ ଶଂକର ଉଦଗାତା, ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡଃ ଅନୁପ କୁମାର ମଲ୍ଲିକ, ଗଣେଶ ପୂଜା ପାଇଁ ଗଠିତ କେନ୍ଦ୍ରୀୟ ପୂଜା କମିଟିର ଉପସଭାପତି ଦେବଦତ୍ତ ପ୍ରଧାନ ଓ ସମ୍ପାଦକ ଶିବାନୀ ଶଂକର ଗୌଡ଼ଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।