ମୁଖ୍ୟ ଖବର

ଅଳିଆ ଆବର୍ଜନାର ସହର ପାଲଟିଛି ଅନୁଗୁଳ, ପ୍ରଶାସନ ନିଦାବିଷ୍ଣୁ

By Biswaranjan Pattnaik

February 07, 2025

ଅନୁଗୁଳ: ଶିଳ୍ପର ସହର ଭାବେ ପରିଚୟ ପାଇଥିବା ଅନୁଗୁଳ ଏବେ ଅଳିଆ ଆବର୍ଜନାର ସହର ପାଲଟିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିଥିବା ଦେଖିବାକୁ ମିଳୁଛି। ଘରୋଇ ଅଳିଆଠୁ ବଢ଼ିଗଲାଣି କଳକାରଖାନାର ଆବର୍ଜନା।

ଦୁଇ ବର୍ଷ ତଳର ରିପୋର୍ଟ କହୁଛି, ଅନୁଗୁଳ ଜିଲ୍ଲାରେ ବର୍ଷକୁ ପ୍ରାୟ ୧,୮୮,୦୦୯. ୩୦ ମେଟ୍ରିକ ଟନ କ୍ଷତିକାରୀ ବା ହାଜାର୍ଡ଼ସ ଆବର୍ଜନା ବାହାରୁଛି। ସେହିଭଳି ନିର୍ମାଣ କାର୍ଯ୍ୟରୁ ଦିନକୁ ପ୍ରାୟ ୧୦.୩୫ ମେଟ୍ରିକ ଟନ ଆବର୍ଜନା ବାହାରୁଛି। ଦିନକୁ ପ୍ରାୟ ୦. ୦୧୨ ମେଟ୍ରିକ ଟନ ପ୍ଲାଷ୍ଟିକ ଆବର୍ଜନା, ୩୫. ୧ ମେଟ୍ରିକ ଟନ କଠିନ ବର୍ଜ୍ୟବସ୍ତୁ ବାହାରୁଛି।କିନ୍ତୁ ଅନୁଗୁଳ ପୌରପାଳିକା ଘର ଘର ବୁଲି ଶୁଖିଲା ଓ ଓଦା ଅଳିଆ ନେବା ପରେ ମଧ୍ୟ ବିପୁଳ ଆବର୍ଜନା ଏଣେତେଣେ ଜମା ହେଉଛି। ଫଳରେ ବସ ଷ୍ଟାଣ୍ଡ ଠାରୁ ବଜାର ଯାଏ ଅଳିଆ ପାହାଡ଼ ଭଳି ଗଦା ହେଉଛି। ଉଠା ଜଳଖିଆ ଦୋକାନୀ ଥରମୋକୁଲ ଗିନା ବ୍ୟବହାର କରି ରାସ୍ତା କଡ଼ରେ ଫିଙ୍ଗୁଛନ୍ତି। ଦୋକାନୀ ପ୍ଲାଷ୍ଟିକ କ୍ୟାରି ବ୍ୟାଗ ଦେବା ବନ୍ଦ କରୁ ନାହାନ୍ତି। ଫଳସ୍ୱରୂପ ପ୍ଲାଷ୍ଟିକ ଆବର୍ଜନା ବଢ଼ି ଚାଲିଛି। ପୌରପାଳିକାର ସଫେଇ କର୍ମଚାରୀ ସହିତ ଗାଡ଼ି ଅଭାବରୁ ନିୟମିତ ଆବର୍ଜନା ଉଠି ପାରୁନାହିଁ। ତେବେ ଅନୁଗୁଳ ପୌର ପାଳିକା ଆବର୍ଜନା ନିଷ୍କାସନ ପାଇଁ ସ୍ୱତନ୍ତ୍ର ଯୋଜନା ହାତକୁ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।