ମୁଖ୍ୟ ଖବର

ଘରକୁ ଧରମ ଭାଇ ଆସିବାକୁ ନେଇ ତୁମୁଳକାଣ୍ଡ: ଖୁଣ୍ଟରେ ବାନ୍ଧି ପିଟିବା ସହ ଜରିମାନା ଆଦାୟ, ଦେଢ଼ଶୁର ଓ ପୁତୁରା ନାଁରେ ଏତଲା

By Biswaranjan Pattnaik

April 13, 2025

ଅନୁଗୁଳ: ଘରକୁ ଧରମ ଭାଇ ଆସିବାକୁ ନେଇ ତୁମୁଳକାଣ୍ଡ। ଭାଇ ସହ ବୋହୂକୁ ଘରେ ତାଲା ପକାଇବା ସହ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ନେଇ ଅନୁଗୁଳ ସଦର ଥାନାରେ ଦେଢ଼ଶୁର ଓ ପୁତୁରା ନାଁରେ ଅଭିଯୋଗ।

ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଗତ ୧୧ ତାରିଖ ରାତି ୧୧ ଟା ଅଭିଯୋଗକାରିଣୀ ଝିଲ୍ଲୀ ଦେହୁରୀଙ୍କ ଘରକୁ ତାଙ୍କ ଧରମ ଭାଇ ଆଶିଷ ସେଠୀ ଆସିଥିଲେ। ଆଶିଷ ଦଣ୍ଡ ଦେଖି ସାରି ଝିଲ୍ଲୀ ଘରକୁ ଆସିଥିଲେ। ଝିଲ୍ଲୀ ତାଙ୍କୁ ଖାଇବାକୁ ବାଢୁଥିବା ବେଳେ ଝିଲ୍ଲୀର ଦେଢ଼ଶୁର ଆଲୋକ ଏବଂ ପୁତୁରା ଆଁସୁ ଘର ବାହାରୁ ତାଲା ପକାଇ ଦେଇଥିଲେ।ଯେତେ ଡାକିଲେ ବି ଫିଟାଇ ନଥିଲେ। ବାଧ୍ୟ ହୋଇ କବାଟ ତାଡ଼ି ଝିଲ୍ଲୀ ଏବଂ ତାଙ୍କ ଧରମ ଭାଇ ବାହାରିଥିଲେ। କିନ୍ତୁ ବାହାରେ ଆଲୋକ ଏବଂ ଆଁଶୁ ଆଶିଷଙ୍କୁ ଗୋଟେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ। ଝିଲ୍ଲୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଟଣାଓଟରା କରିଥିଲେ ଓ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିଥିଲେ।ଖବର ପାଇ ଝିଲ୍ଲୀଙ୍କ ଭାଇ ସିଦ୍ଧାନ୍ତ ପ୍ରଧାନ ଆସିବା ପରେ ଏବଂ ଆଲୋକ କହିବା ମୁତାବକ ନିର୍ଦ୍ଦିଷ୍ଟ ଲୋକକୁ ୨୫ ହଜାର ୫ ଶହ ଟଙ୍କା ଦେବା ପରେ ଉଭୟଙ୍କୁ ବନ୍ଧନ ମୁକ୍ତ କରାଯାଇଥିଲା। ଏନେଇ ଝିଲ୍ଲୀ ତାଙ୍କ ଦେଢ଼ଶୁର ଏବଂ ପୁତୁରା ନାମରେ ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।