ଘଟଣା ଓ ଦୁର୍ଘଟଣା

ବାଙ୍କ ବୁଲିବା ବେଳେ ଭାରସାମ୍ୟ ହରାଇ ବିଲରେ ପଶିଲା ୨ ଆମ୍ବୁଲାନ୍ସ: ଭାଙ୍ଗିଲା ଇଲେକ୍ଟ୍ରିକ ଖୁଣ୍ଟି, ଯାତାୟାତ ବାଧାପ୍ରାପ୍ତ

By Angul TV Bureau

March 05, 2025

ଅନୁଗୁଳ: ବିଲରେ ପଶିଲା ଆମ୍ବୁଲାନ୍ସ। ବାଙ୍କ ବୁଲିବା ବେଳେ ଭାରସାମ୍ୟ ହରାଇ ଦୁଇଟି ଆମ୍ବୁଲାନ୍ସ ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ବିଲରେ ଫସିଯାଇଛି। ଫଳରେ ଦୁଇଟି ଇଲେକ୍ଟ୍ରିକ ଖୁଣ୍ଟ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ସୂଚନା ମୁତାବକ, ମହୀଧରପୁର ଆଡ଼ୁ ଏକ ବେସରକାରୀ ଆମ୍ବୁଲାନ୍ସ ଆଉ ଗୋଟିଏ ଆମ୍ବୁଲାନ୍ସକୁ ଅନୁଗୁଳକୁ ଟାଣି ନେଉଥିଲା।। ଖଣ୍ଡହତା ଛକ ନିକଟ ବାଙ୍କ ଜାଗାରେ ପ୍ରଥମ ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ଵରେ ଥିବା ୮ ଫୁଟ ଗଭୀର ବିଲରେ ପଶି ଯାଇଥିଲା। ଫଳରେ ପଛ ଆମ୍ବୁଲାନ୍ସ ମଧ୍ୟ ଟଣା ଦଉଡ଼ି ସହ ଘୋଷାଡି ହୋଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବିଲରେ ପଶିଯାଇଥିଲା। ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଆମ୍ବୁଲାନ୍ସ ଉପରେ ପଡ଼ିବାରୁ ଏଥିରେ ଲାଗିଥିବା ଅନ୍ୟ ବିଦ୍ୟୁତ ଖୁଣ୍ଟ ବି ଟାଣି ହୋଇଯାଇଥିଲା। ଫଳରେ ଆଉ ଏକ ଖୁଣ୍ଟ ବି ଭାଙ୍ଗି ପଡ଼ିଛି।

ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାରକୁ ଉଠାଇ ରାସ୍ତା ପରିଷ୍କାର କରିଥିବା ବେଳେ ପୋଲିସ ଦୁଇ ଚାଳକକୁ ଅଟକ ରଖି ତଦନ୍ତ କରୁଛି।