କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ଟକବାଠାରେ ଆଜି ଅପରାହ୍ନରେ ବଜ୍ର ପଡ଼ି ବାପ ପୁଅଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ନାକଚି ପଞ୍ଚାୟତର ବାଲିଖମଣ ଗାଁର ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରବୀଣ।
ସୂଚନା ଅନୁଯାୟୀ, ଆଜି ପ୍ରଫୁଲ୍ଲ, ତାଙ୍କ ପୁଅ, ଟକବା ଗାଁର ବିରଞ୍ଚି ସେଠୀ(୩୦), ରାଣୀଭୂଇଁ ଗାଁର ଅରୁଣ ବେହେରା(୫୫) ଗାଁର ଜଣକ ବିଲରେ ଧାନ ବିଡ଼ା ଭିଡୁଥିଲେ। ଅପରାହ୍ନରେ ବଜ୍ରପାତ ହେବାରୁ ସମସ୍ତେ ଏକ ଆମ୍ବଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ଘଡ଼ଘଡ଼ି ମାରିବାରୁ ସମସ୍ତେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ବାପା ପ୍ରଫୁଲ୍ଲ ଓ ପୁଅ ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ରାଣୀଭୂଇଁ ଗାଁର ଅରୁଣ ବେହେରା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଟକବାର ବିରଞ୍ଚି ସେଠୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।