ଅନୁଗୁଳ: ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା କମିଟି ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି। ପ୍ରାୟ ସବୁ ପୂଜା କମିଟି ପକ୍ଷରୁ ଦିନ ବେଳା ଅନ୍ନ ଭୋଗ ସହିତ ସନ୍ଧ୍ୟାରେ କ୍ଷୀରୀ କାକରା,ହାଲୁଆ ଆଦି ତିଆରି କରି ଭକ୍ତଙ୍କୁ ବଣ୍ଟା ଯାଉଚି। ଅପରାହ୍ନ ପାଞ୍ଚଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି। ବିଭିନ୍ନ କମିଟିର ଫୁଡ୍ କୋର୍ଟରେ ଚାର୍ଟ,ଗୁପଚୁପ,ଆଇସକ୍ରିମ ଖାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।ଚଳିତ ବର୍ଷ ଡିଆଇସି ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ଓ ମୂର୍ତ୍ତି କରାଯାଇଛି। ଏହି ପୂଜା କମିଟିର ବିଶେଷତା ହେଲା କମିଟିର ନେତୃତ୍ୱ ନେଇଥିବା ବିରେନ୍ଦ୍ର ନାୟକ ନିଜେ ତୋରଣର ଡିଜାଇନ୍ କରିଥାନ୍ତି ଯାହା ଲୋକଙ୍କୁ ବିଶେଷ ଆକର୍ଷିତ କରିଥାଏ।ଚଳିତ ବର୍ଷ ଏହି କମିଟି ଶିବଙ୍କ ଜଟାରୁ କିଭଳି ଗଙ୍ଗା ଉଦ୍ଭବ ହେଉଛନ୍ତି ତାହା ଦର୍ଶାଯାଇଛି। ବିରେନ୍ଦ୍ର ନାୟକ କମିଟିର ସଭାପତି ଥିବା ବେଳେ ଅନିଲ ଲେଙ୍କା ସମ୍ପାଦକ ଅଛନ୍ତି। କମିଟି ଚଳିତ ବର୍ଷ ୩୪ତମ ଜୟନ୍ତି ପାଳନ କରୁଛି। ଲକ୍ଷ୍ମୀପୂଜା ଅବସରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।