ମୁଖ୍ୟ ଖବର

ନାହିଁ ନାହିଁରେ ଚାଲିଛି ଅନୁଗୁଳ ମେଡିକାଲ ଜନ ଔଷଧୀ ଷ୍ଟୋର: ଅଧିକାଂଶ ସମୟରେ ମିଳୁନି ସାଧାରଣ ଔଷଧ, ଗରିବ ରୋଗୀ ହନ୍ତସନ୍ତ

By Biswaranjan Pattnaik

January 15, 2025

ଅନୁଗୁଳ: ଅନୁଗୁଳ ମେଡିକାଲରେ ଥିବା ଜନଔଷଧୀ ଥାଇ କି ନ ଥିଲା ଭଳି ଅବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବାକୁ ଏହାର ପ୍ରତିଷ୍ଠା ହୋଇଥିଲେ ବି ଏବେ ନାମକୁ ମାତ୍ର ହୋଇ ରହି ଯାଇଛି। ରୋଗୀଙ୍କ ଆବଶ୍ୟକ ମୁତାବକ ଔଷଧ ଉପଲବ୍ଧ ନ ଥିବାରୁ ଲୋକ ଜନ ଔଷଧୀ ଆସି ମଧ୍ୟ ଫେରି ଯାଉଛନ୍ତି। ଆଉ ବାହାରୁ ୧୦ଗୁଣ ଅଧିକ ଟଙ୍କା ଦେଇ ସମାନ ଔଷଧ କିଣୁଥିବା ଦେଖିବାକୁ ମିଳୁଛି। ରୋଗୀମାନେ ଅଭିଯୋଗ କରିଛନ୍ତି ଯେ ଅନୁଗୁଳ ବଡ଼ ମେଡିକାଲ ପରିସରରେ ଥିବା ଜନଔଷଧୀରେ ଅଧିକାଂଶ ଔଷଧ ଉପଲବ୍ଧ ରହୁନାହିଁ। ପ୍ରାୟ ସମୟରେ ଏଠାରେ ସାଧାରଣ ଥଣ୍ଡା, ଜ୍ୱର ଔଷଧ ମଧ୍ୟ ମିଳୁନାହିଁ। ଏଣୁ ଧୀରେ ଧୀରେ ଏହା ଲୋକଙ୍କ ଆସ୍ଥା ହରାଇବାରେ ଲାଗିଲାଣି।

ଯେଉଁ ଷ୍ଟୋରରେ ମାସିକ ପ୍ରାୟ ୮ଲକ୍ଷ ଟଙ୍କାର ଔଷଧ ବିକ୍ରି ହେଉଥିଲା ସେଠି ଏବେ ଲକ୍ଷେ ଟଙ୍କାର ମଧ୍ୟ ବେପାର ହେଉ ନାହିଁ। କିଛି ଅଧିକାରୀଙ୍କ ମନ ମାନି ଯୋଗୁଁ ଏହି ଷ୍ଟୋରରେ ଆଉ ଆଗଭଳି କାରବାର ହେଉନାହିଁ। ତେବେ ପ୍ରକୃତ କଥା ହେଉଛି ଜନ ଔଷଧୀ ଡ୍ରଗସ ଆଣିବା ପାଇଁ ଜନ ଔଷଧୀ ମେଡିକାଲ ଅଫିସରଙ୍କ ଠାରୁ ଏଡିଏମଓ, ସିଡିଏମଓ, ରେଡ଼କ୍ରସ ସେକ୍ରେଟାରୀ, ଏଡିଏମ ଏବଂ ଶେଷରେ ଜିଲ୍ଲା କାର୍ଯ୍ୟାଳୟକୁ ଫାଇଲ ନେବାକୁ ପଡୁଛି। ଏକାଧିକ ଅଧିକାରୀଙ୍କ ଦେଇ ଫାଇଲ ଗଲାବେଳେ ସବୁ ଟେବୁଲ ରେ ଫାଇଲ ପଡି ରହୁଛି। ଫଳରେ ଔଷଧ ଠିକଣା ସମୟରେ ଆସି ପାରୁନାହିଁ କି ଔଷଧ ଯୋଗାଉଥିବା ଏଜେନସିକୁ ପେମେଣ୍ଟ ହୋଇପାରୁନାହିଁ। ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଉଚ୍ଚ ପଦସ୍ଥ ଅଧିକାରୀ ଜନ ଔଷଧୀର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଦେଲେ ଗରିବ ରୋଗୀ ଉପକୃତ ହୁଅନ୍ତେ ବୋଲି ହସ୍ପିଟାଲକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।