ଅନୁଗୁଳ: ଆସନ୍ତା ୧୭ ତାରିଖରୁ ଅନୁଗୁଳ ଜିଲ୍ଲା ମହୋତ୍ସବ-୨୦୨୬ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ମଶାଲ ଶୋଭାଯାତ୍ରାର ସଫଳ ଆୟୋଜନ ନିମନ୍ତେ ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୨ ଏପ୍ରିଲ ରବିବାର ସକାଳ ୬ଟା ସମୟରେ ଖୁଲୁଡି ସ୍ଥିତ ବାବା ଗିରିଶ୍ୱର ମନ୍ଦିରରୁ ଏହି ଶୋଭାଯାତ୍ରା ଶୁଭାରମ୍ଭ କରାଯିବ।
ଏହି ମଶାଲ ଶୋଭାଯାତ୍ରା ଖୁଲୁଡି ଗ୍ରାମରୁ ବାହାରି ଝାରବେଡ଼ା, ନମପଶି, କନ୍ତଳା, ପାଳଲହଡ଼ା ଶିବ ମନ୍ଦିର ଛକ, ମାଁ କୁଣ୍ଢେଇବିରା ଛକ, ଝିମିରିପାଲି, ଶ୍ରୀରାମପୁର, ବତିସୁଆଁ, ଖେମଳା, ବରକୋଟିଆ, ନିମରିବେଡା, ଖମାର, କଣ୍ଟିଆପଶି ଏବଂ ଭାଲୁକି ଆଦି ପ୍ରମୁଖ ଛକ ଦେଇ ଗତି କରିବ। ପରିଶେଷରେ ଏହା ଗୋପାଳପ୍ରସାଦ ସ୍ଥିତ ପବିତ୍ର ମା’ ହିଙ୍ଗୁଳା ପୀଠରେ ପହଞ୍ଚିବ ବୋଲି ସ୍ଥିର ହୋଇଛି। ଏହି ଭବ୍ୟ ଶୋଭାଯାତ୍ରାରେ କୃଷି, ଉଦ୍ୟାନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ସୁରକ୍ଷା ଭଳି ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରିବେ।
ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ୍ ମିଶ୍ର, ତହସିଲଦାର ଆକାଂକ୍ଷା ମହାପାତ୍ର, ଡେପୁଟି କଲେକ୍ଟର ବିଦ୍ୟୁସ୍ମିତା ସାହୁ, ଡେପୁଟି କଲେକ୍ଟର ସୌମ୍ୟା ଶ୍ରୀ ପରିଡ଼ା, ଆଇଆଇସି ପ୍ରଦୀପ ମହାନ୍ତ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୋଭିତ କୁମାର ବିଶିଙ୍କ ସମେତ ଅନ୍ୟାନ୍ୟ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।