ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଦିନକୁ ଦିନ ଜବରଦଖଲ କାରୀଙ୍କ ପଦୁର୍ଭାଵ ବଢ଼ିବାରେ ଲାଗିଛି। ବିଶେଷକରି ସହର ମଧ୍ୟରେ ଥିବା ମାରୁୱାଡ଼ି ଧର୍ମଶାଳା ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାକୁ ଅଧିକ ଜବରଦଖଲ କରାଯାଇଛି। ପୂର୍ବ ପୌର ନିର୍ବାହୀ ଅଧିକାରୀ ଦୀର୍ଘବର୍ଷ ତଳେ ଉଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା କିଛିଦିନ ପରେ ପୁଣି ‘’ଯଥା ପୂର୍ଵମ ତଥା ପରଂ” ଅବସ୍ଥାକୁ ଆସିଥିଲା ଜବରଦଖଲ।
ପ୍ରତିଦିନ ସକାଳୁ ସଞ୍ଜ ଯାଏ ହଜାର ହଜାର ଲୋକେ ବଜାର ମଧ୍ୟରେ ଯାତାୟାତ କରିଥାନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଗଢି ଉଠିଥିବା ଦୋକାନୀ ମାନେ ଦୋକାନ ଛାଡି ନିଜର ଅଧା ବ୍ୟବସାୟ ରାସ୍ତା ଉପରେ କରୁଥିବା ଦେଖାଯାଇଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଭିଯୋଗ ବାରମ୍ବାର ଆସିବା ପରେ ଏବେ ପୌରପାଳିକା ଆକ୍ଟିଭ ମୁଡକୁ ଆସିଛି। ପ୍ରତିଦିନ ପୌରପାଳିକାର କର୍ମଚାରୀ ମାନେ ସକାଳୁ ସଞ୍ଜ ଯାଏ ବଜାରରେ ବୁଲିବା ସହ କେଉଁ କେଉଁ ଦୋକାନ ରାସ୍ତା ଉପରକୁ ଜବରଦଖଲ କରୁଛନ୍ତି। ତାହାର ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି।ଏପରିକି ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି।
ଅତିଶୀଘ୍ର ଏହି ଫଟୋ ଭିଡିଓକୁ ନେଇ ଏକ ବଡ଼ ଧରଣର କାର୍ଯ୍ୟନୁଷ୍ଠାନ ନିଆଯିବାର ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ମୋଟାମୋଟି ଭାବେ ଜବର ଦଖଲକାରୀଙ୍କ ଉପରେ ଉଛେଦ ପ୍ରକ୍ରିୟା କରାଯିବ ବୋଲି ଜଣାପଡିଛି।