ମୁଖ୍ୟ ଖବର

ଆକ୍ସନ ମୋଡ଼ରେ ପୌରପାଳିକା, ବେଆଇନ ମଦ ବିକିବା ନେଇ ଦୋକାନ ସିଲ

By Biswaranjan Pattnaik

February 24, 2025

ଅନୁଗୁଳ: ଅନୁଗୁଳ ପୌରପାଳିକା ନୂଆ ନିର୍ବାହୀ ଅଧିକାରୀ ଏବେ ପୁରା ଆକ୍ସନ ମୋଡ଼ରେ କାମ କରୁଛନ୍ତି। ଆଜି ସକାଳେ ବେଆଇନ ମଦ ବିକିବା ସହ ପ୍ଲାଷ୍ଟିକ ଆବର୍ଜନା ପକାଇବା ଅଭିଯୋଗରେ ପୁରୁଣା ବସ ଷ୍ଟାଣ୍ଡ  ଠିକିରି ମାର୍କେଟର ଗୋଟିଏ ଦୋକାନ ସିଲ କରିଥିଲେ।

ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ବିଶ୍ୱସ୍ତ ସୂତ୍ରରୁ ଖବର ସଂଗ୍ରହ କରିଥିଲେ ଯେ, ପୁରୁଣା ବସ ଷ୍ଟାଣ୍ଡର ସରକାରୀ ମଦ ଦୋକାନ ନିକଟରେ ଆଉ କିଛି ଦୋକାନ ଚୋରା ମଦ ସାଙ୍ଗକୁ ଚାଖଣା ବିକୁଛନ୍ତି। ସେ ଏହି ସବୁ ଦୋକାନ କାରବାରର ପ୍ରମାଣ ରଖିବା ପାଇଁ ଗୁପ୍ତ ଭିଡିଓ ମଧ୍ୟ କରାଇଥିଲେ। ଶେଷରେ ଆଜି ସକାଳ ସାତଟା ବେଳେ ଅତର୍କିତ ଚଢ଼ାଉ ବେଳେ ଦୋକାନରେ ଲୋକେ ମଦ ପିଉଥିବା ଦେଖିବାକୁ ମିଳିଥିଲା। ଚଢ଼ାଉ ଦେଖି ସେମାନେ ଛତ୍ର ଭଙ୍ଗ ଦେଇଥିଲେ। ସେହିଭଳି ଅନୁଗୁଳ ସହର ସାରା ଠେଲାରେ ଯେଭଳି ଫଳ ବେପାର ଚାଲିଛି ଯାହା ଫଳରେ ଟ୍ରାଫିକ ଜାମ ହେଉଛି। ସନ୍ଧ୍ୟାରେ ଗାଡି ମଟର ଯାତାୟାତ ରେ ଅସୁବିଧା ହେଉଛି। ଫଳ ଦୋକାନୀଙ୍କ ଆବର୍ଜନା ଯୋଗୁଁ ବୁଲା ଗାଈ ଗୋରୁଙ୍କ ସହରରେ ପ୍ରାଦୁର୍ଭାବ ବଢୁଛି। ତେଣୁ ଆଜି ରାସ୍ତା ଜାମ କରି ଫଳ ବିକୁଥିବା ଦୋକାନୀଙ୍କୁ ଉଚ୍ଛେଦ ମଧ୍ୟ ଯାଇଥିଲା। କେବଳ ପୁରୁଣା ବସଷ୍ଟାଣ୍ଡରେ ୫୦ରୁ ଅଧିକ ଠେଲା ଲାଗୁଥିବାରୁ ଟ୍ରାଫିକ  ଅବ୍ୟବସ୍ଥା ନେଇ ଅଭିଯୋଗ ହେଉଥିଲା। ଚଢ଼ାଉ ଦୋକାନୀ ମହଲରେ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।