ଅନୁଗୁଳ: ଅନୁଗୁଳ ସହରରେ ଶୀତର ପ୍ରକୋପ କମିବା ସହ ଧୀରେ ଧୀରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏହି ପରିବର୍ତ୍ତିତ ପାଣିପାଗ ମଶା ବଂଶ ବୃଦ୍ଧି ପାଇଁ ଅନୁକୂଳ ହୋଇଥିବାରୁ ସହରର ବିଭିନ୍ନ ସ୍ଥାନରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିଶେଷ କରି ସହର ଭିତରେ ଥିବା ପୋଚା ପାଣି ଏବଂ ଭଙ୍ଗା ଡ୍ରେନ୍ ଗୁଡ଼ିକ ମଶାଙ୍କ ପ୍ରଜନନ କେନ୍ଦ୍ର ପାଲଟିଥିବାରୁ ଏହାକୁ ରୋକିବା ପାଇଁ ଅନୁଗୁଳ ପୌରପାଳିକା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ଏହି ମଶା ବଂଶ ଲୋପ କରିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡରେ ମଶା ତେଲ ସ୍ପ୍ରେ କରାଯାଉଛି। ସଦ୍ୟ ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ସହରର ଅଧାରୁ ଅଧିକ ୱାର୍ଡରେ ତେଲ ପଡ଼ି ସାରିଥିବା ବେଳେ ଆଜି ୯, ୬ ଏବଂ ୧୫ ନମ୍ବର ୱାର୍ଡରେ ତେଲ ସିଞ୍ଚନ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୌରପାଳିକା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ଏବଂ ପର୍ଯ୍ୟାୟକ୍ରମେ ସମସ୍ତ ୱାର୍ଡକୁ ସାମିଲ କରାଯିବ। ସହରବାସୀଙ୍କୁ ମଶା ଜନିତ ରୋଗରୁ ରକ୍ଷା କରିବା ପାଇଁ ପୌରପାଳିକା ଏହି ସଫେଇ ଓ ସିଞ୍ଚନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରୁଛି।