ମୁଖ୍ୟ ଖବର

ଚାକିରି ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, ମିଳିଲାନି ନିଯୁକ୍ତି: ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା !

By Angul TV Bureau

February 09, 2025

ଅନୁଗୁଳ: ଚାକିରି କରେଇ ଦେବେ କହି ୯୫ ହଜାର ଟଙ୍କା ନେଇଥିଲେ, କିନ୍ତୁ ମିଳିଲାନି ନିଯୁକ୍ତି। ଟଙ୍କା ଫେରାଇବାକୁ କହିବାରୁ ଜୀବନରୁ ମାରିଦେଲେ। ଅନୁଗୁଳ ଜିଲ୍ଲା  ଶିଳ୍ପାଞ୍ଚଳ ଥାନା ନିଶା ଅଞ୍ଚଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେର (୨୧)ଙ୍କୁ କୋଇଲା ଖଣିରେ ଚାକିରି କରାଇ ଦେବାକୁ କହି ବ୍ରଜରାଜନଗର ଅଞ୍ଚଳର ଅମିତ ବଢ଼େଇ କିଛି ମାସ ପୂର୍ବର ତାଙ୍କ ଠାରୁ ୯୫ ହଜାର ଟଙ୍କା ନେଇଥିଲେ। ଚାକିରି ଦେବେ କହି ଅମିତ ଦିନ ଗଡ଼ାଇ ଚାଲିଥିଲେ। ହେଲେ ଚାକିରି ନ ହେବାରୁ ଲୋକନାଥ ଟଙ୍କା ଫେରାଇବାକୁ କହିଥିଲେ। ଏଣୁ ଅମିତ ଗତ ୪ ତାରିଖରେ ଲୋକନାଥଙ୍କୁ ଧରି ଅନୁଗୁଳରେ ପହଞ୍ଚି ଏକ ବାଇକ୍‌ରେ କୁଆଡେ ନେଇଯାଇଥିଲେ। ଲୋକନାଥ ଘରକୁ ନ ଫେରିବାରୁ ପରିବାର ଲୋକ ପୁଅ ନିଖୋଜ ଥିବା ନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଥିଲେ। ସମ୍ବଲପୁର ପୋଲିସ ଅମିତଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଅମିତ ଟଙ୍କା ପାଇଁ ଲୋକନାଥଙ୍କୁ ମାରି ଦେଇଥିବା ସ୍ୱୀକାର କରିଥିଲା। ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ସହଯୋଗରେ ସମ୍ବଲପୁର ପୋଲିସ କଙ୍କରେଇ ନାଳରେ ଲୋକନାଥଙ୍କ ମୃତଦେହ ଠାବ କରିଥିଲା। ଏଥି ସହ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅମିତକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।