ମୁଖ୍ୟ ଖବର

ଡକାୟତି ଯୋଜନା ପଣ୍ଡ: କ୍ଷୀର ଗୋଦାମକୁ ଟାର୍ଗେଟ କରିଥିବା ୪ ଯୁବକ ଗିରଫ, ଖସିଗଲା ମାଷ୍ଟର ମାଇଣ୍ଡ

By Angul TV Bureau

January 10, 2025

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଟାଉନ ଥାନା ପୋଲିସ ରାତି ପାଟ୍ରୋଲିଂ ସମୟରେ ଏକ ଡକାୟତ ଦଳକୁ ଗିରଫ କରିଛି। ଡକାୟତ ଦଳର ମୁଖ୍ୟ କାର୍ପଟଦାର ପୋଲିସ ହାତରୁ ଖସିଯାଇଥିଲେ ବି ୪ ସହଯୋଗୀକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏମାନେ ଏକ କ୍ଷୀର ଗୋଦାମରୁ ଲୁଟପାଟ କରିବାକୁ ଗୁରୁବାର ବିଳମ୍ବିତ ରାତିରେ ଯୋଜନା କରୁଥିବା ବେଳେ ପୋଲିସ ମାଡ଼ିବସିଥିଲା। ଗିରଫମାନେ ହେଲେ କଟକ ମଧୁପାଟଣା ଥାନା ଲିଙ୍କ୍ ରୋଡ୍ ଶ୍ରୀନଗର ଗଳିର -ଅମର ସିଂ (୨୫), ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୀପ୍ତିରଞ୍ଜନ ସାହୁ(୩୪), ପୁରୀ ଜିଲ୍ଲାର ଚନ୍ଦନପୁରର ଆଶୁତୋଷ ମହାପାତ୍ର (୨୧) ଏବଂ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଶଶିକାନ୍ତ ବେହେରା (୨୨)। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ସହର ମଦନମୋହନପଡ଼ା ସ୍ଥିତ ମଦନମୋହନ ମନ୍ଦିର ସମୁଖ ଏକ ଗଛ ପିଣ୍ଡିରେ ୪/୫ଜଣ ବ୍ୟକ୍ତି ବିଳମ୍ବିତ ରାତିରେ ବସିଥିଲେ। ପାଟ୍ରୋଲିଂ ବେଳେ ଏମାନେ ଦୌଡ଼ିବାକୁ ଲାଗିଥିଲେ। ସନ୍ଦେହରେ ପୋଲିସ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ଦୁଇଟି ବାଇକ ସମେତ ମୋବାଇଲ ଫୋନ, ଲୁହା ଚାପଡ଼ ମାରଣାସ୍ତ୍ର, ଦୁଇଟି ହାତ ତିଆରି ବୋମା, ଲଙ୍କାଗୁଣ୍ଡ ପ୍ୟାକେଟ, ବ୍ୟବହୃତ ୨ ମଦ ବୋତଲ ପୋଲିସ ଜବତ କରିଛି।

ପୋଲିସ ସୂଚନା ମୁତାବକ, ଫେରାର ହୋଇଯାଇଥିବା ସେମାନଙ୍କ ସାଥୀ ହେଉଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ନିରୋଦ ଗଡ଼ନାଏକ। ନିରୋଦର ସାଥୀଭାବେ ଏହି ୪ଜଣ ଡକାୟତି କରିବାକୁ ଅନୁଗୁଳ ଆସିଥିଲେ। ଏମାନଙ୍କ ଟାର୍ଗେଟରେ ଥିଲା ଏକ ପ୍ରଗତି ଦୁଗ୍ଧ ଗୋଦାମ। କିନ୍ତୁ ତାଙ୍କ ଯୋଜନା ଭଣ୍ଡୁର ହୋଇଯାଇଛି।