ମୁଖ୍ୟ ଖବର

ଘରେ ପଶି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣା, ଅଭିଯୁକ୍ତ ଗିରଫ

By Angul TV Bureau

March 11, 2025

ଅନୁଗୁଳ: ସ୍ଥାନୀୟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ କ୍ଷୀର ଦେବା ବାହାନାରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣାରେ ଅନୁଗୁଳ ପୋଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଶାସିଂହା ଗ୍ରାମର ବାପୁନ ପ୍ରଧାନ। ତାଙ୍କ ଠାରୁ ଉକ୍ତ ସୁନା ଚେନ ସହ ଏକ ଆକ୍ଟିଭା ଜବତ ହୋଇଛି। ଏହି ଘଟଣା ରବିବାର ଘଟିଥିବା ବେଳେ ଅଭିଯୁକ୍ତ ସେବେଠୁ ଫେରାର ଥିଲା।

ଗତ ୯ ତାରିଖ ସନ୍ଧ୍ୟାରେ ଗାନ୍ଧୀ ମାର୍ଗସ୍ଥିତ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟର କ୍ୱାର୍ଟର ନମ୍ବର ୨ ରେ ରହୁଥିବା ବିବେକାନନ୍ଦ ମହନ୍ତଙ୍କ ଘର କବାଟକୁ ବାପୁନ ବାଡ଼େଇଥିଲା। ତାଙ୍କ ସ୍ତ୍ରୀ କବାଟ ଖୋଲିବାରୁ ବାପୁନ ତାଙ୍କୁ କ୍ଷୀର ରଖିବକି ବୋଲି ପଚାରିଥିଲା। ସେ ମନା କରିବାରୁ ବାପୁନ ତାଙ୍କୁ ପିଇବାକୁ ପାଣି ମାଗିଥିଲେ।  ଶ୍ରୀ ମହନ୍ତଙ୍କ ସ୍ତ୍ରୀ ଭିତରକୁ ପାଣି ଆଣିବାକୁ ଗଲା ବେଳେ ସେ ପଛପଟୁ ବଳ ପୂର୍ବକ ତାଙ୍କ ବେକରୁ ୧୫ଗ୍ରାମର ସୁନା ଚେନ ଛିଣ୍ଡାଇ ଫେରାର ହୋଇଯାଇଥିଲା।

ଏ ନେଇ ଅନୁଗୁଳ ଥାନାରେ ଏତଲା ପରେ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏସଡିପିଓ ରମାକାନ୍ତ ମହାଳିକଙ୍କ ତତ୍ତ୍ୱାବଧାନରେ ଆଇଆଇସି ଧୀରେସ କୁମାର ଦାସ ଏବଂ ଅନ୍ୟ ପୋଲିସ ଅଧିକାରୀ ଛାନଭିନ କରିଥିଲେ। ସମସ୍ତ ସିସି ଟିଭି ଯାଞ୍ଚ କରି ଆଜି ବାପୁନ ପ୍ରଧାନକୁ ଗିରଫ କରି ତା ଠାରୁ ଉକ୍ତ ସୁନା ଚେନ୍ ସହ ଏକ ଆକ୍ଟିଭା ଜବତ କରିଛି।