ମୁଖ୍ୟ ଖବର

ନିଶା ବିରୋଧୀ ବାର୍ତ୍ତା ନେଇ ଅନୁଗୋଳ ପୋଲିସର ସଚେତନତା ରାଲି

By Angul TV Bureau

November 26, 2026

ଅନୁଗୋଳ: ନିଶା ବିରୋଧରେ ଜନସଚେତନତା ସୃଷ୍ଟି ଓ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳରେ ଓଡ଼ିଶା ପୋଲିସ ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଛି। ‘ନିଶାମୁକ୍ତ ଭାରତ ଅଭିଯାନ’ ଓ ‘ଡ୍ରଗ୍ସ ବିରୋଧରେ ଲଢ଼େଇ’ ବାର୍ତ୍ତା ନେଇ ରାଲିଟି ଟାଉନ ଥାନାରୁ ବାହାରି କାଞ୍ଚନ ବଜାର, ପୁରୁଣା ବସ୍‌ଷ୍ଟାଣ୍ଡ ଓ ମେଡିକାଲ ଛକ ଦେଇ ବ୍ଲାକ୍‌ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇ ନିଶା ବିରୋଧୀ ବାର୍ତ୍ତା ପ୍ରଚାର କରିଥିଲେ।

ପରେ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ, ଏସ୍‌ପି ରାହୁଲ ଜୈନ, ଆର୍‌ସିସିଏଫ୍‌ ସଞ୍ଜୟ କୁମାର ସ୍ୱାଇଁ, ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ମଧୁସ୍ମିତା ନାୟକ, ଚିକିତ୍ସାଧିକାରୀ ଦିଲୀପ ପଟ୍ଟନାୟକ ଓ ଶିକ୍ଷାଧିକାରୀ ମଧୁସ୍ମିତା ନନ୍ଦଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ଏହି ଅବସରରେ ଏସ୍‌ପି ରାହୁଲ ଜୈନ କହିଥିଲେ ଯେ, ନିଶା ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ତ୍ରିମୁଖୀ ରଣନୀତି ଆପଣାଇଛି। ଏଥିରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଜନସଚେତନତା ସୃଷ୍ଟି ଓ ନିଶାସକ୍ତ ବ୍ୟକ୍ତିଙ୍କ ପୁନର୍ବାସକୁ ପ୍ରାଥମିକତା ଦିଆଯାଉଛି। ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରାଯାଇ ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ସମେତ ବିଭିନ୍ନ ନିଶାଦ୍ରବ୍ୟ ଜବତ କରାଯାଉଛି। ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ମଧ୍ୟ ଜାରି ରହିଛି।

ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ପାଇଁ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରେ ରାଲି, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ନିଶା କେବଳ ବ୍ୟକ୍ତିବିଶେଷଙ୍କୁ ନୁହେଁ, ସମଗ୍ର ପରିବାର ଓ ସମାଜକୁ ପ୍ରଭାବିତ କରୁଥିବାରୁ ଏହାର ନିରାକରଣ ପାଇଁ ଜନସାଧାରଣଙ୍କ ସହଯୋଗ ଓ ସାମୂହିକ ଉଦ୍ୟମ ଜରୁରୀ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଥିଲା।