ଅନୁଗୁଳ: ଡିଜିଟାଲ ୱାଲେଟ୍ ଏବଂ ବିଭିନ୍ନ ବ୍ୟାଙ୍କରେ ଫେକ୍ ଆକାଉଣ୍ଟ ଖୋଲି ସାରା ଦେଶରେ ଲୋକଙ୍କୁ ଚୂନା ଲଗାଉଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ। ଏହି ଘଟଣାରେ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ଗୁଜରାଟୀ ପଡ଼ାର ସଙ୍କି ଅଗ୍ରୱାଲ, କାଣ୍ଡସରର ସବ୍ୟସାଚୀ ପ୍ରଧାନ,କୁଲାଡ଼ର ସମ୍ବିତ ଶେଠ୍।କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା (CBI) ଓ ସିବି (CB) ରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ସାଇବର ବିଶେଷଜ୍ଞ ଏବଂ ପୋଲିସ ଅଧିକାରୀମାନେ ସାମିଲ ଥିଲେ। ଅନୁଗୁଳ ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଅତିରିକ୍ତ ଆଇଆଇସି ଅରୁଣ କୁମାର ଖିଲାରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଠକମାନଙ୍କୁ କାବୁ କରାଯାଇଛି।
ଅଭିଯୁକ୍ତମାନେ ଅନୁଗୁଳ ସହରର IDFC ଏବଂ ICICI ବ୍ୟାଙ୍କରେ ବିଭିନ୍ନ ନାମରେ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରି ସେମାନେ ସାରା ଦେଶରେ ସାଇବର ଠକେଇ କରୁଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ପ୍ରାୟ ୧ କୋଟି ୬୮ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଛି।