ମୁଖ୍ୟ ଖବର

ଅନୁଗୁଳ ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ‘ଟପା’: ବେଆଇନ ବନ୍ଧୁକ ଜବତ

By Angul TV Bureau

March 10, 2026

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ଏସପିଙ୍କ ନିର୍ଦ୍ଦେଶକ୍ରମେ ସଦର ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସରଧାପୁର ବ୍ରିଜ୍ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ସନ୍ଦେହଜନକ ଭାବେ ବୁଲୁଥିବା କୁସାସିଂହା ଗ୍ରାମର ପୁରୁଷୋତ୍ତମ ଭୁତିଆ ଓରଫ ଟପା (୩୨) ପୋଲିସକୁ ଦେଖି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ସଫଳତାର ସହ କାବୁ କରିଥିଲା। ତଲାସି ସମୟରେ ତାଙ୍କ ପାଖରୁ ଏକ ଦେଶୀ ତିଆରି ପିସ୍ତଲ ଜବତ କରାଯାଇଛି।

ପ୍ରାରମ୍ଭିକ ପଚରାଉଚରାରୁ ଜଣାପଡ଼ିଛି ଯେ ଅଞ୍ଚଳରେ ଭୟ ସୃଷ୍ଟି କରି ଅସାମାଜିକ କାର୍ଯ୍ୟକଳାପ କରିବା ଉଦ୍ଦେଶ୍ୟରେ ସେ ଏହି ଅସ୍ତ୍ର ରଖିଥିଲେ। ପୋଲିସ ରେକର୍ଡ ଅନୁଯାୟୀ, ଟପାଙ୍କ ନାମରେ ପୂର୍ବରୁ ଅନୁଗୁଳ, ନିଶା, ଛେଣ୍ଡିପଦା ଓ ବେଲପାହାଡ଼ ପରି ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଏବଂ ଦୁଷ୍କର୍ମ ଭଳି ପ୍ରାୟ ୨୩ଟି ସଙ୍ଗିନ ମାମଲା ରହିଛି। ଏହି ଘଟଣାରେ ଆର୍ମସ୍ ଏକ୍ଟ ଅନୁସାରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।