ଅନୁଗୋଳ: ପୋଲିସ କର୍ମଚାରୀଙ୍କ ମାନସିକ ସୁସ୍ଥତା ଓ ଚାପ ପରିଚାଳନା ପାଇଁ ଆଜି ଅନୁଗୁଳ ଏସପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଓରିଏଣ୍ଟେସନ କର୍ମଶାଳା ଆୟୋଜନ କରାଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳର ମନସ୍ତାତ୍ତ୍ୱିକ ବିଶେଷଜ୍ଞମାନେ ପୋଲିସ କର୍ମଚାରୀଙ୍କୁ ମାନସିକ ସ୍ୱାସ୍ଥ୍ୟ, ଚାପ ପରିଚାଳନା ଏବଂ ମାନସିକ ସ୍ଥିରତା ବୃଦ୍ଧି ଉପରେ ସଚେତନ କରିଥିଲେ। ଦୈନନ୍ଦିନ କାର୍ଯ୍ୟରେ ଚାପ କିପରି କମ କରିବେ ଏବଂ ମାନସିକ ଭାରସାମ୍ୟ କିପରି ବଜାୟ ରଖିବେ ସେ ନେଇ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।
ଏହି କର୍ମଶାଳାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶତାଧିକ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଚାପମୁକ୍ତ ରଖିବା ଏବଂ ସେମାନଙ୍କ ମାନସିକ ସୁସ୍ଥତା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଜାରି ରହିବ ବୋଲି ସୂଚନା ମିଳିଛି।