ମୁଖ୍ୟ ଖବର

ଅଫିମ ଉପରେ ‘ଅପରେସନ ପ୍ରହାର’: ଅନୁଗୁଳରେ ୫ କୋଟିରୁ ଅଧିକ ଟଙ୍କାର ନିଶା ଚାଷ ନଷ୍ଟ, ୧୩ ଗିରଫ

By Angul TV Bureau

February 11, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାକରସିଙ୍ଗା ଗ୍ରାମରେ ଚାଲିଥିବା ବ୍ୟାପକ ବେଆଇନ ଅଫିମ ଚାଷ ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରିଛି। ‘ଅପରେସନ ପ୍ରହାର’ ମାଧ୍ୟମରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍, ଜିଲ୍ଲା ପୋଲିସ ବଳ ଏବଂ ପୁରୁଣାକୋଟ ଥାନା କର୍ମଚାରୀମାନେ ମିଳିତ ଭାବେ ଏହି ଅପରେସନ ପରିଚାଳନା କରିଥିଲେ। ପ୍ରାୟ ୩.୩୧ ଏକର ପରିମିତ ଜମିର ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏହି ବେଆଇନ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ଅଫିମ ଗଛକୁ ଓପାଡ଼ି ଦିଆଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ। ଏହି ଚଢ଼ାଉ ସମୟରେ ପୋଲିସ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ଏକ କିଲୋଗ୍ରାମ ପ୍ରକ୍ରିୟାକୃତ ଅଫିମ ସମେତ ଚାଷ କାର୍ଯ୍ୟରେ ବ୍ୟବହୃତ ୪ଟି ୱାଟର ପମ୍ପ ଓ ପାଇପ୍ ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ପୋଲିସ ୬ ଜଣ ମହିଳାଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରିଛି।

ଏହି ଘଟଣାରେ ପୁରୁଣାକୋଟ ଥାନାରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ଲଳିତ ମୋହନ ବିଶ୍ୱାଳ ମାମଲାର ତଦନ୍ତ କରୁଛନ୍ତି। ଇନ୍ସପେକ୍ଟର ଅୟସକାନ୍ତ ଜେନା, ଧୀରେଶ କୁମାର ଦାସ, ବିଭୂଦତ୍ତ ରାଉତରାୟ, ମନୋଜ କୁମାର ପ୍ରଧାନ ଏବଂ ପ୍ରକାଶ ପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏହି ଘଟଣାରେ ଜଡ଼ିତ ଅନ୍ୟ ଅଭିଯୋଗକାରୀଙ୍କୁ ଧରିବା ପାଇଁ ତଲାସି ଜାରି ରଖିଛି ପୋଲିସ।