ଅନୁଗୋଳ: ବିଶ୍ୱ ସାଇକେଲ ଦିବସ ଅବସରରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ‘ସଣ୍ଡେଜ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’କୁ ସମର୍ଥନ ଜଣାଇ ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଛି।‘ରାଇଜ୍, ରାଇଡ୍ ଆଣ୍ଡ୍ ରିଚାର୍ଜ’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମକୁ ରବିବାର ସକାଳେ ଆଇଜି (ଏନସିଆର୍ ତାଳଚେର) ସତ୍ୟବ୍ରତ ଭୋଇ ଏବଂ ଅନୁଗୋଳ ଏସପି ରାହୁଲ ଜୈନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନୁଗୋଳ ଥାନା ଛକରୁ ଆରମ୍ଭ ହୋଇ ହୁଲୁରସିଂହା ଓ ହେମସରପଡ଼ା ଦେଇ ରିଜର୍ଭ ଅଫିସ୍ ପର୍ଯ୍ୟନ୍ତ ଚକ୍ରାକାର ପଥରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହି ସ୍ୱତନ୍ତ୍ର ସଂସ୍କରଣରେ ପୋଲିସ ଅଧିକାରୀ, କର୍ମଚାରୀ ଓ ସାଇକେଲ୍ ପ୍ରେମୀଙ୍କ ସମେତ ୭୫ ଜଣ ଅଂଶଗ୍ରହଣ କରିଥିଲେ। ଲୋକଙ୍କୁ ଶାରୀରିକ ସୁସ୍ଥତା, ପରିବେଶ ସୁରକ୍ଷା ଓ ସାମାଜିକ ସଦ୍ଭାବନା ପ୍ରତି ପ୍ରେରଣା ଯୋଗାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଏହି କାର୍ଯ୍ୟକ୍ରମର ୭୫ଟି ସଂସ୍କରଣ ସଫଳତାର ସହ ଶେଷ ହୋଇସାରିଛି। ସିନିୟର ପୋଲିସ ଅଧିକାରୀମାନେ ନିଜେ ସାଇକେଲ ଚଳାଇ ଜନସାଧାରଣଙ୍କୁ ସୁସ୍ଥ ଜୀବନଶୈଳୀ ପାଇଁ ବାର୍ତ୍ତା ଦେଇଥିଲେ।